ଡେରାଡୁନ୍‌: ଆଜି ସକାଳେ ପାରମ୍ପରିକ ହିମାଚଳୀ ‘ଚୋଲା ଡୋରା’ ବା ‘ଚୋଲୁ’ ପରିଧାନ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ କେଦାରନାଥ ପୀଠରେ ପୂଜାର୍ଚ୍ଚନା କରିଛନ୍ତି।

Advertisment

ନିକଟ ଅତୀତରେ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ସମୟରେ ଉକ୍ତ ହାତ ତିଆରି ‘ଚୋଲୁ’ଟିକୁ ଚମ୍ବା ଜିଲ୍ଲାର ଜଣେ ମହିଳା ତାଙ୍କୁ ଭେଟି ଦେଇଥିଲେ। କୌଣସି ଥଣ୍ଡା ସ୍ଥାନକୁ ଗଲେ ଏହାକୁ ପିନ୍ଧିବେ ବୋଲି ପ୍ରଧାନମନ୍ତ୍ରୀ ମ‌ୋଦୀ ଉକ୍ତ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହାଛଡ଼ା, ‌ପ୍ରଧାନମନ୍ତ୍ରୀ କେଦାରନାଥରେ ଥିବା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳକୁ ମଧ୍ୟ ଯାଇଥିଲେ।

publive-image Image Courtesy of ANI

କେଦାରନାଥର ବିଭିନ୍ନ ବିକାଶମୂଳକ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଶ୍ରମଜୀବୀମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ରାଜ୍ୟ ଓ ଘରପରିବାର କଥା ପଚାରି ବୁଝିଥିଲେ। ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ସେମାନେ ଉପକୃତ ହେଉଛନ୍ତି କି, ନାହିଁ ବୋଲି ମଧ୍ୟ ପ୍ରଧାମନ୍ତ୍ରୀ ସେମାନଙ୍କୁ ପଚାରିଥିଲେ। କେତେକ ‘ପିଏମ୍‌ କିଷାନ୍‌ ଯୋଜନା’ ଏବଂ ‘ପିଏମ୍‌ ଆବାସ ଯୋଜନା’ଦ୍ବାରା ଉପକୃତ ହୋଇଥିବା କଥା ସେମାନେ କହିଥିଲେ।

ଦେହପା’ ପ୍ରତି ଦୃଷ୍ଟି ଦେବା ସହ ଉଷୁମ ପାଣି ପିଇବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଛଡ଼ା, ସେମାନେ କରୋନାଭାଇରସ୍‌ ଟିକା ନେଇଛନ୍ତି କି, ନାହିଁ ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବାରୁ ବଦ୍ରିନାଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ବଦ୍ରିନାଥରେ ପହଞ୍ଚିବେ। ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌’ର ଅତିରିକ୍ତ ମହାନିର୍ଦେଶକ ମନୋଜ ରାୱତ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ବଦ୍ରିନାଥର ମାଷ୍ଟର୍‌ ପ୍ଲାନ୍‌ ଅନୁସାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ଏଥିପାଇଁ ମାନା ସୀମାନ୍ତରେ ନିଯୁକ୍ତ ‘ଆଇଟିବିପି’ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।