ନୂଆଦିଲ୍ଲୀ: ବଡ଼ଦିନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଓ ବାଣୀ ସ୍ମରଣ କରିଛନ୍ତି। ‘ସେବା, କରୁଣା ଏବଂ ମାନବତା’ ଉପରେ ଧର୍ମ ପ୍ରଚାରକ ଯୀଶୁ ସବୁଠୁ ଅଧିକ ଗୁରୁତ୍ବାରୋପ କରିଥିଲେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ସମସ୍ତଙ୍କୁ ବଡ଼ଦିନ ଅଭିନନ୍ଦନ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ମହାନ୍ ବାଣୀ ସବୁ ସ୍ମରଣ କରୁଛୁ, ଯାହା ସେବା, କରୁଣା ଏବଂ ମାନବତା ଉପରେ ସର୍ବାଧିକ ଗୁରୁତ୍ବାରୋପ କରେ। ସମସ୍ତେ ସୁସ୍ଥ ଓ ସମୃଦ୍ଧ ହୁଅନ୍ତୁ। ସର୍ବତ୍ର ସଙ୍ଗତି ରହୁ।
ଉଲ୍ଲେଖଯୋଗ୍ୟ, ଯୀଶୁ ଖ୍ରୀଷ୍ଟଙ୍କ ଜୟନ୍ତୀ ପାଳନ ନିମନ୍ତେ ଡିସେମ୍ବର ୨୫ ତାରିଖକୁ ବଡ଼ଦିନ ଭାବେ ପାଳନ କରାଯାଏ। ‘କେରୋଲ୍’ଗାନ ଏବଂ ଉପହାର ଆଦାନପ୍ରଦାନ କରି ବିଶ୍ବବ୍ୟାପୀ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଏବଂ ଅନ୍ୟମାନେ ବଡ଼ଦିନ ପାଳନ କରନ୍ତି। ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପ୍ରେରଣ କରିବା ହେଉଛି ଏହି ଉତ୍ସବର ଉଦ୍ଦେଶ୍ୟ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍-୧୯ ଗାଇଡ୍ଲାଇନ୍ ମାନି ଉତ୍ସାହ-ଉଦ୍ଦୀପନାରେ ଦେଶବ୍ୟାପୀ ବଡ଼ଦିନ ପାଳନ କରାଯାଉଛି।
ବଡ଼ଦିନ ଲାଗି ଗୋଆ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ପୁଡୁଚେରୀ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକର ଅନେକ ଗୀର୍ଜାରେ ମଧ୍ୟରାତ୍ର ସମାଗମ ଆୟୋଜନ କରାଯାଇଥିଲା। କିନ୍ତୁ, ଏଥିରେ ଯୋଗ ଦେବାକୁ ସୀମିତସଂଖ୍ୟକ ଲୋକଙ୍କୁ ଅନୁମତି ମିଳିଥିଲା।