ବାରାଣସୀ: ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗାବିଳାସ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରୁ ଯାତ୍ରା ଆରମ୍ଭ କରି ‘ଏମ୍‌. ଭି. ଗଙ୍ଗା ବିଳାସ’ ବାଂଲାଦେଶ ଦେଇ ୫୧ ଦିନରେ ପ୍ରାୟ ୩,୨୦୦ କିଲୋମିଟର୍‌ ଅତିକ୍ରମ କରି ମାର୍ଚ ୧ ତାରିଖ ଦିନ ଆସାମର ଦିବ୍ରୁଗଡ଼ରେ ପହଞ୍ଚିବ। ଯାତ୍ରା ସମୟରେ ‘ଏମ୍‌. ଭି. ଗଙ୍ଗାବିଳାସ’ ଦୁଇଟି ଦେଶରେ ଥିବା ୨୭ଟି ନଦୀ ପଥ ଅତିକ୍ରମ କରିବ। ଏହି ଜଳଯାତ୍ରା ବେଳେ ‘ଏମ୍‌. ଭି. ଗଙ୍ଗାବିଳାସ’ ୫୦ଟି ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି, ଗଙ୍ଗାନଦୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ସେବା ଆରମ୍ଭ ହେବା ସ୍ମରଣୀୟ ମୁହୂର୍ତ୍ତ। ଏହି ସେବା ଭାରତର ପର୍ଯ୍ୟଟନରେ ଏକ ନୂଆ ଯୁଗର ବାର୍ତ୍ତାବହ ହେବ।

publive-image Image Courtesy of ANI

ଆଜି ଏହି କ୍ରୁଜ୍‌ର ପ୍ରଥମ ଜଳଯାତ୍ରାରେ ଯାଉଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ଶବ୍ଦରେ ପରିପ୍ରକାଶ କରି ହେବନାହିଁ, କେବଳ ଅନ୍ତରରେ ହିଁ ଅନୁଭବ କରିହେବ।

ଆଜି ୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଆଉ କେତୋଟି ଅଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହା ପୂର୍ବ ଭାରତରେ ବାଣିଜ୍ୟ ଓ ପର୍ଯ୍ୟଟନ ଏବଂ କର୍ମସଂସ୍ଥାନ ସୁଯୋଗ ସମ୍ପ୍ରସାରଣ କରିବ।

ଏହାଛଡ଼ା ଆଜି ବାରାଣସୀର ଗଙ୍ଗାନଦୀ କୂଳରେ ନିର୍ମିତ ‘ତମ୍ବୁ ନଗରୀ’ ବା ‘ଟେଣ୍ଟ୍‌ ସିଟି’କୁ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀ ଉନ୍ମୋଚନ କରିଛନ୍ତି।