ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚିତ ହେଉଥିବା ୫ ଜଣ ସଦସ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଜର ଉଚ୍ଚ କ୍ଷମତା ସଂପନ୍ନ ପ୍ରତିରକ୍ଷା କ୍ୟାବିନେଟ କମିଟି ବା କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ୍‌) ଗଠନ କରିଛନ୍ତି। ନବ ଗଠିତ ପ୍ରତିରକ୍ଷା କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଅଧ୍ୟକ୍ଷ ରହିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ଅନ୍ୟ ୫ ଜଣ ସଦସ୍ୟ ଭାବେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ୍‌।

Advertisment

ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ୧.୦ ଶାସନ କାଳରେ ବି ମୋଦିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିବା ଅଜିତ୍‌ ଡୋଭାଲ୍‌ଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା। ତେବେ, ମୋଦିଙ୍କ ୧.୦ରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ୍‌ଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରା ଯାଇଥିବା ବେଳେ ୨.୦ରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ୍‌ଙ୍କୁ ପଦୋନ୍ନତି ଦିଆଯାଇ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି।