ନୂଆଦିଲ୍ଲୀ: ଭାରତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ଟେଡ୍ରୋସ୍ ଆଧାନୋମଙ୍କ ହେଲା ନାମକରଣ। ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଟେଡ୍ରୋସ୍ଙ୍କ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଗାନ୍ଧୀନଗରରେ ଆୟୋଜିତ ହୋଇଥିବା ଗ୍ଲୋବାଲ୍ ଆୟୁଷ ଆଣ୍ଡ ଇନୋଭେସନ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀ ଟେଡ୍ରୋସ୍ଙ୍କୁ ଏକ ଗୁଜୁରାଟୀ ନାଁ ଦେଇଛନ୍ତି।
ନିଜକୁ ପକା ଗୁଜୁରାଟୀ କହୁଥିବା ଟେଡ୍ରୋସ୍ଙ୍କ ନାଁ ‘ତୁଳସୀଭାଇ’ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ମୁତାବକ, 'ହୁ' ମହାନିର୍ଦ୍ଦେଶକ ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ। ଆଜି ସେ ମୋତେ ଭାରତୀୟ ଶିକ୍ଷକମାନଙ୍କ ପାଇଁ ଜୀବନରେ ସଫଳ ହୋଇପାରିଛନ୍ତି ବୋଲି କହିଥିଲେ। ଭାରତ ସହ ଜଡିତ ହୋଇ ସେ ଗର୍ବିତ ବୋଲି ମୋତେ ଜଣାଇଥିଲେ। ଏହା ସହ ଆଜି ସକାଳେ ସେ ମୋତେ କହିଥିଲେ ଯେ, ମୁଁ ଏବେ ଏକ ପକା ଗୁଜୁରାଟୀ ହୋଇଯାଇଛି। ତୁମେ ମୋ ପାଇଁ ଗୁଜରାଟୀ ନାଁ ସ୍ଥିର କରିଛ କି? ତାଙ୍କ ପ୍ରଶ୍ନ ଶୁଣି ମୁଁ ତାଙ୍କ ପାଇଁ ଏକ ନାଁ ବାଛିଛି। ଜଣେ ଗୁଜୁରାଟୀ ହିସାବରେ ମୁଁ ତାଙ୍କୁ ତୁଳସୀଭାଇ ଡାକିବି।
From the land of Mahatma Gandhi, a Gujarati name has been given to my friend, @DrTedros. pic.twitter.com/jxWqZ9Ng6O
— Narendra Modi (@narendramodi) April 20, 2022
ଏଭଳି ନାଁ ଦେବା ପଛର କାରଣ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ତୁଳସୀ ହେଉଛି ଏକ ଏଭଳି ପବିତ୍ର ଗଛ, ଯାହା ବିଷୟରେ ଆଧୁନିକ ପିଢ଼ି ଜାଣିପାରୁନାହାନ୍ତି। ଏହାକୁ ଆମେ ଅନେକ ଶୁଭ କାମରେ ବ୍ୟବହାର କରିଥାଉ। ଆଜି ମୁଁ ଏଭଳି ପବିତ୍ର ଗଛର ନାଁକୁ ନେଇ ମୋର ବନ୍ଧୁ ଟେଡ୍ରୋସ୍ଙ୍କ ନାମକରଣ କରିଛି। ଜଣେ ଗୁଜୁରାଟୀର ନାଁ ଭାଇ ବିନା ପୂରଣ ହୋଇପାରିବ ନାହିଁ, ସେଥିପାଇଁ ଭାଇ ଦେଇଛି।