ନୂଆଦିଲ୍ଲୀ: ଭିନ୍ନ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ମୋଦୀ । ପିଲାଙ୍କ ସହ ମୋଦୀ ମଜା କରୁଥିବାର ଦେଖିବାକୁ ମିଳିଛି ତାହା ପୁଣି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ୩ କୁନିକୁନି ପୁଅଝିଅଙ୍କ ସହ । ପ୍ରଧାନମନ୍ତ୍ରୀ ପିଲାପ୍ରେମୀ । ସେ କୁନିକୁନି ପିଲାଙ୍କୁ ଭାରି ଭଲପାଆନ୍ତି ଆଉ ସ୍ନେହ କରନ୍ତି । କେତେବେଳେ ପିଲାଙ୍କୁ ଗପ ଶୁଣାଇବାର ତାଙ୍କୁ ଦେଖିବାକୁ ମିଳେ ତ କେତେବେଳେ ପିଲାଙ୍କ ଠାରୁ ସେ ରାକ୍ଷୀ ପିନ୍ଧନ୍ତି । ଛୋଟ ଛୁଆଙ୍କୁ ସ୍ନେହ କରିବାର ଦୃଶ୍ୟ ଅନେକ ଥର ସାମ୍ନାକୁ ଆସିଛି ।

Advertisment

ତେବେ ଆଜି ମୋଦୀ ତାଙ୍କ ବାସଭବନକୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଏବଂ ୩ ପିଲାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ସଂଧ୍ୟାରେ ଜେଡି ଭାନ୍ସଙ୍କ ସହ ସାକ୍ଷାତକାର ହୋଇଥିବା ବେଳେ ଆମେରିକାର ଅତିଥିଙ୍କୁ ସ୍ବାଗତ ସମୟରେ ମୋଦୀ ଭାନ୍ସଙ୍କ କୁନିକୁନି ପିଲାଙ୍କୁ ସ୍ନେହରେ କୋଳେଇ ନେଉଥିବା ଏବଂ ସେମାନଙ୍କ ସହ ହାତମେଳାଉଥିବା ଦେଖିବାକୁ ମିଳିଛି ।

ମୋଦୀ ବାସଭବନରେ ଥିବା ଉଦ୍ୟାନରେ ସେମାନଙ୍କୁ ବୁଲାଇଥିଲେ ଏବଂ ସେହି ସମୟରେ ମୋଦୀ ଭାନ୍ସଙ୍କ ପିଲାଙ୍କ ସହ ଟିକେ ପରେ ଟିକେ ଖୁସିରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଆଉ ପରେ ପିଲାଙ୍କୁ ପାଖକୁ ଡାକି ତାଙ୍କୁ କୋଳରେ ବସାଇ ସେମାନଙ୍କ ସହ କଥାବାର୍ତ୍ତା କରି ମୋଦୀ ୩ ପୁଅଝିଅଙ୍କୁ ମୟୂର ଚନ୍ଦ୍ରିକା ଉପହାର ସ୍ବରୁପ ପ୍ରଦାନ କରିଥିଲେ । ଯାହା ମୋଦୀଙ୍କ ସ୍ନେହୀ ମନୋଭାବକୁ ଦର୍ଶାଇଛି ।

ତେବେ ବାସଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ବାସଭବନରୁ ବାହାରିଛନ୍ତି । ସେପଟେ ଆଜି ସକାଳେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିବା ଜେଡି ଭାନ୍ସ  ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।