ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ପୂର୍ବରୁ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ପୂର୍ବରୁ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ନେଇ ବୈଠକ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ମାର୍ଚ୍ଚ ୨୪ ରେ ୟୁପିରେ ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବେ।

ତେବେ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ସମ୍ପର୍କରେ ଏବେ ବି ସନ୍ଦେହ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ଆସନରୁ ନିର୍ବାଚନରେ ​​ହାରିଛନ୍ତି। ଏଭଳି ସ୍ଥିତିରେ କାହାକୁ ଉପମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଆଲୋଚନା ଚାଲିଛି। ଆଜିର ‌‌ବୈଠକ ପରେ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ତେବେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପି ସରକାର ଗଠନକୁ ନେଇ ବିଜେପି ଅତି ସତର୍କତାର ସହ ଆଗକୁ ବଢ଼ୁଛି। ଖବର ଅନୁଯାୟୀ, ଏହି ବୈଠକରେ ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆଜି ମଣିପୁରରେ ବିଜେପି ବିଧାୟକ ଦଳ ବୈଠକରେ ଏନ ବୀରେନ ସିଂ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ବୀରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମସ୍ତଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର