ନୂଆଦିଲ୍ଲୀ: ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ହେବାକୁ ଥିବା ୨୦୨୧ ବର୍ଷର ‘ସିବିଏସ୍ଇ’ ପରୀକ୍ଷା ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଏବଂ ଅନ୍ୟ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି।
ସମଗ୍ର ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ‘ସିବିଏସ୍ଇ’ ବୋର୍ଡ ପରୀକ୍ଷା ସ୍ଥଗିତ ଓ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ ‘ସିବିଏସ୍ଇ’ କୌଣସି ବିବୃତି ଜାରି କରିନାହାନ୍ତି।
ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ବାତାବରଣରେ ବୋର୍ଡ ପରୀକ୍ଷା କରାଇବା ବିପକ୍ଷରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱର ଉତ୍ତୋଳନ କରିବା ପରେ ‘କ୍ୟାନ୍ସଲ୍ ବୋର୍ଡ ଏକ୍ଜାମ୍ସ୍ ୨୦୨୧’ ହାସ୍ଟ୍ୟାଗ୍ ମଧ୍ୟ ଟୁଇଟର୍ରେ ଟ୍ରେଣ୍ଡିଙ୍ଗ୍ ହେଉଛି।
‘ଅଫ୍ଲାଇନ୍ ମୋଡ୍’ରେ ୨୦୨୧ ‘ସିବିଏସ୍ଇ’ ବୋର୍ଡ ପରୀକ୍ଷା କରାଇବା ବିରୋଧରେ କଂଗ୍ରେସ ଏବଂ ଶିବସେନା ଭଳି ବିରୋଧୀ ଦଳମାନେ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନେ କହିଛନ୍ତି ଯେ, ପରୀକ୍ଷା ପରିବର୍ତ୍ତେ ସରକାର ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ୍ ଭଳି ବିକଳ୍ପ ବ୍ୟବସ୍ଥା କରନ୍ତୁ।
କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ବୋର୍ଡ ପରୀକ୍ଷା କରାଇବା ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ। ବୋର୍ଡ ପରୀକ୍ଷାକୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଭିନେତା ସୋନୁ ସୁଦ ମଧ୍ୟ ସମର୍ଥନ କରୁଛନ୍ତି।