ଜୟପୁର: ରାଜସ୍ଥାନର ନାଥଦ୍ବାରାରେ ରୋଡ୍‌ ସୋ’ ପରେ ଆଜି ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

Advertisment

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ପହଞ୍ଚିବା ପରେ ରାଜ୍ୟପାଳ କଲରାଜ ମିଶ୍ରା ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ତାଙ୍କୁ ସ୍ବାଗତ କରିଥିଲେ। ରୋଡ୍‌ ସୋ’ରେ ବାହାରି ନାଥଦ୍ବାରାରେ ପହଞ୍ଚିବା ପରେ ଲୋକେ ପ୍ରଧାନମନ୍ତ୍ରୀଙ୍କ କାର୍‌ ଉପରରେ ଫୁଲପାଖୁଡ଼ା ବୃଷ୍ଟି କରିଥିଲେ।

ଶ୍ରୀନାଥଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ନାଥଦ୍ବାରାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: କିଛି ଲୋକଙ୍କ ମଧ୍ୟରେ ଏଭଳି ନକାରାତ୍ମକତା ଭରିଯାଇଛି ଯେ, ସୋମନେ ଦେଶରେ କରାଯାଉଥିବା ଭଲ କାମ ସବୁ ଦେଖିପାରୁ ନାହାନ୍ତି। ସେମାନେ କେବଳ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ‘କି ଆଟା ପହ୍‌ଲେ ୟା ଡାଟା ପହେଲେ’ ବୋଲି କିଛି ଲୋକେ କହୁଥିବା ଆପଣମାନେ ହୁଏତ ଶୁଣିଥିବେ, କିନ୍ତୁ ଦ୍ରୁତ ବିକାଶ ପାଇଁ ମୌଳିକ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ମଧ୍ୟ ଆବଶ୍ୟକ ବୋଲି ଇତିହାସ ସାକ୍ଷୀ ରହିଛି।

publive-image Image Courtesy of ANI

ଆଜି ରାଜସ୍ଥାନରେ ୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛି। ଏହି ବିକାଶମୂଳକ ପ୍ରକଳ୍ପ ଲାଗି ମୁଁ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଉଛି। ରାଜସ୍ଥାନରେ ଆଧୁନିକ ଭିତ୍ତିଭୂମି ଯୋଗାଇ ଦେବା ଉପରେ ଆମ ସରକାର ଗୁରୁତ୍ବାରୋପ କରୁଛି ବୋଲି ସେ କହିଛନ୍ତି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରୁଛି। ମୁଁ ଖୁସି ଯେ, ଆଜି ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ ଓ‌ ରେଳ ପ୍ରକଳ୍ପ ଉତ୍ସର୍ଗ କରିବେ। ରାଜସ୍ଥାନରେ ଭଲ କାର୍ଯ୍ୟ ହୋଇଛି, ରାଜସ୍ଥାନରେ ରାସ୍ତାଘାଟ ସବୁ ଭଲ। ପୂର୍ବରୁ ଆମେ ଗୁଜରାଟ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ଅନୁଭବ କରୁଥିଲୁ ଯେ, ଆମେ ଅନୁନ୍ନତ, କିନ୍ତୁ ଏବେ ଆମେ ଅଗ୍ରଣୀ।