ନୂଆଦିଲ୍ଲୀ: ‘କୋପ୍‌୨୮’ ଭାବେ ଜଣାଶୁଣା ଜାତିସଂଘର ଜଳବାୟୁ ସଂକ୍ରାନ୍ତ ‘କନ୍‌ଫରେନ୍‌ସ୍‌ ଅଫ୍‌ ଦି ପାର୍ଟିଜ୍‌’ ସହିତ ଆୟୋଜନ ହେବାକୁ ଥିବା ‘ୱାର୍ଲଡ୍‌ କ୍ଲାଇମେଟ୍‌ ଆକ୍‌ସନ୍‌ ସମିଟ୍‌’ରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି।

Advertisment

ଦୁବାଇ ବିମାନ ବନ୍ଦରରେ ତାଙ୍କୁ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ର ଗୃହମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ଶେଖ୍‌ ସୈଫ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ ସ୍ବାଗତ କରିଥିଲେ।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ବିଶ୍ବ ପରିବେଶକୁ ଉତ୍କୃଷ୍ଟତର କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ‘କୋପ୍‌୨୮’ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ଲାଗି ଦୁବାଇରେ ଅବତରଣ କଲି।

PM Modi In Dubai For COP28 As 200 Nations Reach Historic Climate Agreement Image Courtesy of NDTV

ବିମାନ ବନ୍ଦରରୁ ଯାଇ ରହଣି ନିମନ୍ତେ ଉଦ୍ଦିଷ୍ଟ ହୋଟେଲ୍‌ରେ ପହଞ୍ଚିବା‌ ପରେ ‘ମୋଦୀ’, ‘ମୋଦୀ’, ‘ଅବ୍‌ କୀ ବାର୍‌ ମୋଦୀ ସର୍‌କାର୍‌’ ଓ ‘ବନ୍ଦେ ମାତରଂ’ ଧ୍ବନି ଦେଉଥିବା ସମବେତ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ।

ଏ ଅନୁଭୂତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ‘ଏକ୍ସ୍‌’ କରିଛନ୍ତି। ସେ ଲେଖିଛନ୍ତି, ଦୁବାଇରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ଉଚ୍ଛ୍ବସିତ ସ୍ବାଗତ ଅନ୍ତରରେ ଆନନ୍ଦ ଭରି ଦେଇଛି। ସେମାନଙ୍କ ସମର୍ଥନ ଓ ଉତ୍ସାହ ହେଉଛି ଆମ ବର୍ଣ୍ଣିଳ ସଂସ୍କୃତି ଓ ନିବିଡ଼ ବନ୍ଧନର ପରିପ୍ରକାଶ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦.୩୦ରେ ସେ ‘ଏକ୍ସପୋ ସିଟି’ରେ ଆୟୋଜିତ ‘କୋପ୍‌୨୮’ର ‘ଲିଡର୍‌ସିପ୍‌ ପାଭିଲିୟନ୍‌’ରେ ପହଞ୍ଚିବେ। ତା’ପରେ ସମସ୍ତ ନେତା ସଂଯୁକ୍ତ ଆରବ ଏମିରେଟସ୍‌ର ରାଷ୍ଟ୍ରପତି ମହମ୍ମଦ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସହିତ ‘ୱେଲ୍‌କମ୍‌ ଫଟୋଗ୍ରାଫ୍‌’ ଉଠାଇବେ।

ଦିନକ ପାଇଁ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘କୋପ୍‌୨୮’ର ୫ଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ।