କରୋନାରୁ ଉଚ୍ଚ ଆରୋଗ୍ୟ ଓ କମ ମୃତ୍ୟୁ ହାରକୁ ଦେଖି କୋଭିଡ୍‌ ଚାଲିଗଲା ବୋଲି ଭାବନ୍ତୁ ନାହିଁ କି ଅସାବଧାନ ହୁଅନ୍ତୁ ନାହିଁ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂପ୍ରତି କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶରେ କାୟାବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାଭାଇରସରୁ ପୁନରୁଦ୍ଧାର ଏବଂ ସଂକ୍ରମଣ ହେତୁ ସୃଷ୍ଟି ହୋଇଥିବା ସାଂଘାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏକ ଭଲ ସ୍ଥିତିରେ ଅଛି। ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ମିଳିତ ପ୍ରୟାସର ପରିଣାମ ସ୍ୱରୂପ, ପୁନରୁଦ୍ଧାର ଏବଂ ମୃତ୍ୟୁ ହାର ହାରରେ ଭାରତ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ସାକ୍ଷାତ ଆଲୋଚନାରେ କହିଛନ୍ତି ଯେ ଭାରତ ସାହସର ସହିତ କରୋନାଭାଇରସ ସହ ଲଢ଼ିଛି ଏବଂ ଦେଶବାସୀ ଏହି ଯୁଦ୍ଧରେ ସେମାନଙ୍କର ସାହସ ଓ ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି। କୋଭିଡ୍‌-୧୯ରୁ ଉଚ୍ଚ ଆରୋଗ୍ୟ ହାର ଓ କମ ମୃତ୍ୟୁ ହାର ଦେଖି ଅନେକେ ଭାବୁଛନ୍ତି କୋଭଡ୍‌ ଭୂତାଣୁ ଏବେ ଦୁର୍ବଳ ହୋଇଗଲାଣି ଏବଂ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ, ଆଉ ଭୟର କାରଣ ନାହିଁ। ତେବେ, ଏପରି ଭାବନା ବୁମେରାଂ ସାବ୍ୟସ୍ତ ହେବା ସହ ଏ କ୍ଷେତ୍ରରେ ସାମନ୍ୟତମ ଅସାବଧାନତା ମଧ୍ୟ ଜୀବନ ହାନୀର କାରଣ ହୋଇଯିବ। ଏହାକୁ କେହି ଭୁଲିଯିବା ବା ଅଣଦେଖା କରିବା ଆଦୌ ଉଚିତ ନୁହେଁ।

ଟିକା ଉପରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟଚାଲିଛି। ଯଥାଶୀଘ୍ର ସମ୍ଭବ ଏହା ଆମ ନିକଟରେ ପହଞ୍ଚିବ। ଟିକା ବଣ୍ଟନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ଲୁ-ପ୍ରିିଣ୍ଟ ଆରମ୍ଭ ହୋଇଛି। କିନ୍ତୁ ଲୋକମାନେ ସଚେତନ ହେବା ଏବଂ ସଂକ୍ରମଣକୁ ରୋକିବା ପାଇଁ ଧ୍ୟାନ ଦେବା ଆବଶ୍ୟକ। ଆମକୁ ସଂକ୍ରମଣର ହାରକୁ ୫ ପ୍ରତିଶତରୁ କମ୍‌କୁ ଆଣିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ମୁଖ୍ୟମନ୍ତ୍ରୀମାନଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍‌ ପରୀକ୍ଷା ଏବଂ ଅନୁସନ୍ଧାନ ବୃଦ୍ଧି କରାଯିବା ଆବଶ୍ୟକ। ଅମ୍ଳଜାନ ଏବଂ ଭେଣ୍ଟିଲେଟର ଉପଲବ୍ଧ କରାଇବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଅମ୍ଳଜାନ ଉତ୍ପାଦନରେ ମେଡିକାଲ କଲେଜ ଏବଂ ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ। ଦେଶରେ ବର୍ତ୍ତମାନ ୧୬୦ରୁ ଅଧିକ ଅମ୍ଳଜାନ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର