ଉଦ୍‌ବୋଧନ ପରେ ପିଲାମାନଙ୍କ ସହ କଥାବାର୍ତ୍ତା କରି ‘ଭାଙ୍ଗ୍‌ଡ଼ା’ ନୃତ୍ୟ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲାଲ୍‌ କିଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ କାର୍ଯ୍ୟକ୍ରମରୁ କିଛି ସମୟ ବାହାର କରି ଉତ୍ସବସ୍ଥଳୀରେ ଉପସ୍ଥିତ ପିଲାମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ।

ଲାଲ୍‌ କିଲାରେ ଆୟୋଜିତ ସ୍ବାଧୀନତା ଦିବସରେ ଯୋଗ ଦେବା ପାଇଁ ସମଗ୍ର ଦେଶରୁ ତରୁଣ ‘ଏନ୍‌ସିସି’ କ୍ୟାଡେଟ୍‌ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଆମନ୍ତ୍ରିତ ପିଲାମାନେ ଉତ୍ସବସ୍ଥଳୀରେ ଭାରତର ମାନଚିତ୍ର ଆକୃତିରେ ଠିଆ ହୋଇଥିଲେ। ନିଜ ନିଜ ପ୍ରଦେଶର ପାରମ୍ପରିକ ବେଶପୋଷାକରେ ସାଜି ଠିଆ ହୋଇଥିବା ପିଲାଙ୍କ ଚତୁଃପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ପରିକ୍ରମା କରିବା ସହିତ ସେମାନଙ୍କ ଆଡ଼କୁ ହାତ ହଲାଇଥିଲେ। ପିଲାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ।

Image Courtesy of Zee News

ଏହା ବ୍ୟତିରେକେ, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ପଞ୍ଜାବ, ନାଗାଲାଣ୍ଡ୍‌, ଲଦାଖ, ଜମ୍ମୁ ଓ କଶ୍ମୀର ଆଦି କେତେକ ରାଜ୍ୟରୁ ଆସିଥିବା ସାଂସ୍କୃତିକ ଦଳ ସଙ୍ଗରେ ପରିଚିତ ହେବା ପରେ ପଞ୍ଜାବରୁ ଆସିଥିବା ସାଂସ୍କୃତିକ ଦଳକୁ ‘ଭାଙ୍ଗ୍‌ଡ଼ା’ ନୃତ୍ୟ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ। ସେମାନେ ମଧ୍ୟ ଆନନ୍ଦରେ ‘ଭଙ୍ଗ୍‌ଡ଼ା’ ନୃତ୍ୟ ପରିବେଶଣ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ନୃତ୍ୟ ଦେଖି ଭୂୟସୀ ପ୍ରଶଂସା କରିଥିଲେ।

ଏଥର ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିରଙ୍ଗ ପଟି ଥିବା ପଗଡ଼ି ପରିଧାନ କରିଥିଲେ ଯାହାର କିଛି ଅଂଶ ଲମ୍ବା ହୋଇ ତଳ ଆଡ଼କୁ ଝୁଲିରହିଥିଲା।

ଆଉ ଏକ ବିଶେଷ ଘଟଣା ହେଲା, ସବୁଥର ପରି ଏଥର ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ‘ଟେଲିପ୍ରମ୍ପଟର୍‌’ ପରିବର୍ତ୍ତେ କାଗଜରେ ମୁଦ୍ରିତ ଭାଷଣ ପାଠ କରିଥିଲେ।

ସମ୍ବନ୍ଧିତ ଖବର