ୱାସିଂଟନ୍: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ପରସ୍ପରଙ୍କୁ ଭେଟିବା ସହ ଆଫଗାନିସ୍ତାନ ଓ କୋଭିଡ୍ ମହାମାରୀ ଭଳି କେତେକ ବୈଶ୍ବିକ ପରିସ୍ଥିତି ପ୍ରସଙ୍ଗରେ ମତବିନିମୟ କରିବା ସହ ଅବାଧ, ମୁକ୍ତ ଏବଂ ସାମଗ୍ରିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଥିବା କଥା ପୁଣି ଥରେ କହିଛନ୍ତି।
ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବା ବେଳେ ଉଭୟ ନେତା ଏହି ମହାମାରୀକୁ ଦମନ କରିବା ଲାଗି ଦ୍ରୁତ ଟିକାକରଣ ଉଦ୍ୟମ, ଗୁରୁତ୍ବପୂର୍ଣ୍ଣ ଔଷଧ, ଚିକିତ୍ସା ଏବଂ ଡାକ୍ତରୀ ଉପକରଣ ଯୋଗାଣ ଆଦି ବିଷୟରେ କଥା ହୋଇଛନ୍ତି।
ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଷୟ ଶକ୍ତି ବ୍ୟବହାର ବୃଦ୍ଧି ପାଇଁ ଭାରତର ଉଦ୍ୟମ ଏବଂ ନିକଟ ଅତୀତରେ ଆରମ୍ଭ ହୋଇଥିବା ‘ନ୍ୟାସ୍ନାଲ୍ ହାଇଡ୍ରୋଜେନ୍ ମିସନ୍’ (ଜାତୀୟ ଉଦ୍ଜାନ ଅଭିଯାନ) କଥା କହିଛନ୍ତି। ପର୍ଯ୍ୟାବରଣ ସମ୍ବଳର ଉନ୍ନତି ପାଇଁ ଜୀବନଯାପନ ଧାରା ପରିବର୍ତ୍ତନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।
Image Courtesy of India Today
ଏହା ବ୍ୟତିରେକେ, ଦୁଇ ନେତା ମହାକାଶୀୟ ସହଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା, ବିଶେଷକରି ସମସ୍ୟା ସୃଷ୍ଟିକାରୀ ଏବଂ ଜଟିଳ ପ୍ରଯୁକ୍ତିବିଦ୍ୟା ତଥା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭବିଷ୍ୟତର ସହଯୋଗିତା କଥା ମଧ୍ୟ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଏହି ପ୍ରଥମ ଆଲୋଚନାରେ ଉପରାଷ୍ଟ୍ରପତି କମଳା ହାରିସ୍ ଆପଣାଛାଏଁ ଆତଙ୍କବାଦରେ ପାକିସ୍ତାନର ଭୂମିକା କଥା ଉଠାଇବା ସହ ଆତଙ୍କବାଦୀ ସଙ୍ଗଠନକୁ ସମର୍ଥ ନ କରିବାକୁ କହିଛନ୍ତି।
ସେହିପରି, ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ‘ସେକେଣ୍ଡ୍ ଜେଣ୍ଟଲ୍ମ୍ୟାନ୍’ ଡଗ୍ଲାସ୍ ଇମ୍ହଫ୍ଙ୍କୁ ନିମନ୍ତ୍ରଣ କରିଛନ୍ତି।