ବିଶ୍ବଯୁଦ୍ଧ କାଳରେ କାବୁଲର ରାଜରାସ୍ତାରେ ଚାଲି ଚାଲି ସ୍ବାଧୀନତା ସଂଗ୍ରାମ ଲାଗି ବି‌ଦେଶୀ ରାଷ୍ଟ୍ରଙ୍କ ସମର୍ଥନ ଲୋଡ଼ୁଥିଲେ ନେତାଜୀ : ପ୍ରଧାନମନ୍ତ୍ରୀ ମୋଦୀ

ନେତାଜୀଙ୍କ ୧୨୫ତମ ଜୟନ୍ତୀରେ କୋଲକାତାର ଭିକ୍ଟୋରିଆଲ୍‌ ମେ‌ମୋରିଆଲ୍‌ରେ ଅଭିଭାଷଣ ରଖିଲେ ମୋଦୀ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆଲ୍‌ ମେ‌ମୋରିଆଲ୍‌ରେ ଆୟୋଜିତ ଭବ୍ୟ ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ  ଅଭିଭାଷଣରେ ସେ କହିଥିଲେ, କୋଲକାତା ଆସିବା ମୋ ପାଇଁ ଏକ ଭାବବିହ୍ବଳ ମୁହୂର୍ତ୍ତ। ନେତାଜୀଙ୍କ କର୍ମଭୂମି ବଙ୍ଗର ମାଟି ଅତ୍ୟନ୍ତ ପବିତ୍ର। ଏହି ମାଟିକୁ ମୁଁ ଦେଶବାସୀଙ୍କ ପକ୍ଷରୁ ପ୍ରଣାମ ଜଣାଉଛି। ଏହି ମାଟି ଦେଶର ଆଧ୍ୟାତ୍ମିକ, ସାହିତ୍ୟ, ବିଜ୍ଞାନ ଏବଂ ସାମାଜ ସଂସ୍କାର କ୍ଷେତ୍ରକୁ ବହୁ ମହାପୁରୁଷଙ୍କୁ ପ୍ରଦାନ କରିଛି।  ବଙ୍ଗମାଟିି ଦେଶକୁ ଉଭୟ ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରଗୀତ ପ୍ରଦାନ କରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସେ ବିଶ୍ବକବି ରବିନ୍ଦ୍ରନାଥ ଏବଂ ବଙ୍କିମଚନ୍ଦ୍ରଙ୍କୁ ସ୍ମରଣ କରିଥିଲେ।

ଆଜିର ଦିନରେ କେବଳ ନେତାଜୀଙ୍କର ନୁହେଁ, ଦେଶର ‘ଆତ୍ମଗୌରବ’ର ଜନ୍ମ ହୋଇଥିଲା। ନେତାଜୀଙ୍କ ବିଷୟରେ କହିବା ପାଇଁ ସବୁ ଶବ୍ଦ ବି କମ୍‌  ପଡ଼ିବ ବୋଲି ବ୍ୟକ୍ତବ୍ୟ ରଖିବା ସହ ପ୍ରତିବର୍ଷ ନେତାଜୀଙ୍କ ଜନ୍ମଦିନ ଅର୍ଥାତ ଜାନୁଆରି ୨୩କୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ଦେଶ ପାଳନ କରିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏଥିସହ ସେ କହିଥିଲେ ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା ପୃଥିବୀକୁ ଆଚ୍ଛାଦିତ କରି ରଖିଥିଲା ସେ ସମୟରେ କାବୁଲର ରାଜରାସ୍ତାରେ ଘୁରିଘୁରି ବିଭିନ୍ନ ଦେଶର ଦୂତାବାସରୁ ଦୂତାବାସକୁ ଯାଉଥିଲେ ଏବଂ ଭାରତର ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଲାଗି ବିଦେଶୀ ସମର୍ଥନ ଓ ସହାୟତା ଲୋଡୁଥିଲେ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବପିଢ଼ି ଆତ୍ମନିର୍ଭର ହୁଅନ୍ତୁ ବୋଲି ଆହ୍ବାନ ଜଣାଇଥିଲେ ମୋଦୀ। ଯୁବପିଢ଼ି ନେତାଜୀଙ୍କଠାରୁ ନିଜ ଦେଶପାଇଁ ଉତ୍ସର୍ଗୀକୃତ ମନୋଭାବ ଶିକ୍ଷା କରିବା ଉଚିତ । ଦେଶର ସ୍ବାଧୀନତା ପ୍ରାପ୍ତି ଲାଗି ନେତାଜୀଙ୍କ ଅନନ୍ୟ ଅବଦାନ ଲାଗି ଦେଶ କୃତଜ୍ଞ ରହିଛି ଓ ରହିବ ମଧ୍ୟ। ଦେଶର ପ୍ରତ୍ୟେକ ନାଗରିକ ତାଙ୍କ ନିକଟରେ ଋଣୀ ହୋଇ ରହିବ। ନେତାଜୀଙ୍କ ବିଷୟରେ କହି ବସିଲେ ରାତି ପରେ ରାତି ବିତିଯିବ ବୋଲି ମୋଦୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର