୭୫୦ ମେଗାୱାଟ ସୌରପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ବଡ଼ ମାଧ୍ୟମ ହେବ: ପ୍ରଧାନମନ୍ତ୍ରୀ
ଦେଶକୁ ସବୁଜ ଅର୍ଥନୀତି ଆଡ଼କୁ ନେବାରେ ନୂଆ ଅଧ୍ୟାୟ ଆରମ୍ଭ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ସୌରଶକ୍ତି କେବଳ ଆଜି ନୁହେଁ ବରଂ ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ଗୋଟିଏ ବଡ଼ ମାଧ୍ୟମ ହେବ । କାରଣ ସୌର ଉର୍ଜା ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ଜରିଆରେ ମଧ୍ୟପ୍ରଦେଶରେ ୭୫୦ ମେଗାୱାଟ ବିଶିଷ୍ଟ ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ(ଆରୟୁଏମଏସଏଲ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁଭଳି ଭାବେ ଭାରତରେ ସୌରଶକ୍ତି ଉପରେ କାମ ଚାଲୁଅଛି, ଆଗାମୀ ଦିନରେ ଏହା ଉପରେ ଆଲୋଚନା ବଢ଼ିବ। ଏହିପରି ବଡ଼ ପଦକ୍ଷେପ କାରଣରୁ ଭାରତର ସ୍ୱଚ୍ଛ ଉର୍ଜା ସବୁଠୁ ବଡ଼ ଆକର୍ଷିତ ବଜାର ବୋଲି ମନେ କରାଯାଉଛି। ସରକାରଙ୍କ ଅନେକ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦେଉଛି। ପରିବେଶର ସୁରକ୍ଷା କେବଳ ପ୍ରକଳ୍ପ ସହିତ ସୀମିତ ହୋଇନାହିଁ ବରଂ ଜୀବନଶୈଳୀ ସହ ଦେଇ ଗତି କରୁଛି ।

ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଏ ପ୍ରକଳ୍ପ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୭୫୦ ମେଗାୱାଟ ବିଶିଷ୍ଟ ଅଲଟ୍ରା- ମେଗା ପ୍ରକଳ୍ପ ଭାରତକୁ ସବୁଜ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ନୂଆ ଅଧ୍ୟାୟ । ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ ଏସିଆର ସର୍ବବୃହତ୍ତମ ସୌରଶକ୍ତି ପ୍ଲାଣ୍ଟ ଏବଂ ଏହା ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ରେୱାକୁ ବିଶ୍ୱ ଉର୍ଜା ମ୍ୟାପର ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ସ୍ଥାନୀତ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି। ଜଳବାୟୁ ପରବର୍ତ୍ତନ ଲକ୍ଷ୍ୟ ହାସଲ କରିବାରେ ଭାରତ ଆଗଧାଡ଼ିରେ ରହିଛି ଏବଂ ଭବିଷ୍ୟତ ପାଇଁ ନିରନ୍ତର ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ଉର୍ଜା ଦିଗରେ କାମ କରୁଛି । ଏସିଆର ସର୍ବବୃହତ୍ତ ସୌରଶକ୍ତି ପ୍ଲାଟ୍ ମଧ୍ୟପ୍ରଦେଶରେ ହୋଇଥିବାରୁ ରାଜ୍ୟର ଜନସାଧାରଣ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଏବଂ ମନ୍ତ୍ରୀ ରାଜ କୁମାର ସିଂହ ଓ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର