‘ଅଟଳ ଭୂଜଳ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱର ଦୀର୍ଘତମ ‘ଅଟଳ ସୁଡ଼ଙ୍ଗ’ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

ନୂଆଦିଲ୍ଲୀ : ଭୂତଳ ଜଳର ଉତ୍ତମ ପରିଚାଳନା ନିମନ୍ତେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅଟଳ ଭୂଜଳ ଯୋଜନା’ର ଶୁଭାରମ୍ଭ କରିଛନ୍ତି। କୃଷି ସମେତ ବିଭିନ୍ନ କ୍ଷେତ୍ରରେ ହେଉଥିବା ଜଳ ନଷ୍ଟ ରୋକିବାକୁ ବୈଷୟିକ କୌଶଳ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସେ ‘ରୋହତଙ୍ଗ୍‌ ପ୍ୟାସେଜ୍‌ୱେ’କୁ ‘ଅଟଳ ସୁଡ଼ଙ୍ଗ’ ନାମରେ ନାମିତ କରିଛନ୍ତି। ହିମାଚଳ ପ୍ରଦେଶରେ ସମୁଦ୍ର ପତ୍ତନଠାରୁ ୩୦୦୦ ମିଟର ଉଚ୍ଚରେ ଥିବା ବିଶ୍ବର ଦୀର୍ଘତମ ପର୍ବତ ସୁଡ଼ଙ୍ଗକୁ ‘ଅଟଳ ସୁଡ଼ଙ୍ଗ’ ନାମରେ ନାମିତ କରିବା ସହ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସୁଡ଼ଙ୍ଗଟି ଲେହ ଓ ମନାଲିକୁ ସଂଯୋଗ କରିଥାଏ। ଏହି ସୁଡ଼ଙ୍ଗକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ଏହା ବାଜପେୟୀଙ୍କ ପାଇଁ ଶ୍ରେଷ୍ଠ ଉପହାର ବୋଲି ମୋଦୀ କହିଛନ୍ତି।

ସେହିଭଳି ସ୍ବଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ନିବେଦନ କରିବା ସହ ଦୈନଦିନ କାର୍ଯ୍ୟରେ ଜଳ ଭଳି ମୂଲ୍ୟବାନ ପ୍ରାକୃତିକ ସମ୍ପଦ ନଷ୍ଟ ନ କରିବାକୁ ସେ ଲୋକମାନଙ୍କୁ ଆହ୍ବାନ ଜଣାଇଛନ୍ତି। ବିଭିନ୍ନ କାର୍ଯ୍ୟ ନିମନ୍ତେ ସବୁଠୁ କମ୍‌ ଜଳ ବ୍ୟବହାର ପାଇଁ ଆବଶ୍ୟକ ବୈଷୟିକ କୌଶଳ ଅବଲମ୍ବନ କରିବାକୁ ସେ କମ୍ପାନିଗୁଡ଼ିକୁ କହିଛନ୍ତି। ୧୮ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୩ କୋଟି ପରିବାର ଏବେ ବିଶୁଦ୍ଧ ପାଇପ୍‌ ପାଣି ପାଉଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବାକି ୧୫ କୋଟି ପରିବାରକୁ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର