ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ନୂଆ ନାରା-‘ମୁଁ ବି ଚୌକିଦାର’ ଜାରି କରିଛି ବିଜେପି। ପୁଣି ଥରେ ନିର୍ବାଚନରେ ବିଜୟ ହାସଲ କରିବା ଲାଗି ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟକୁ  ବ୍ୟବହାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନଗାଦୀକୁ ଆସିବା ପରେ ନିଜକୁ ଜନସାଧାରଣଙ୍କ ଚୌକିଦାର ବୋଲି ଘୋଷଣା କରିଥିଲେ।

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଟ୍ଵିଟରରେ ଏକ ଭିଡିଓ ଟ୍ଵିଟ୍‌ କରି ‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩.୪୫ ମିନିଟ୍‌ର ଏହି ଭିଡିଓରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପର ସମୀକ୍ଷା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନରେ ମାର୍ଚ୍ଚ ୩୧ ତାରିଖରେ ସାରା ଦେଶର ଲୋକଙ୍କ ସହିତ କଥା ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍‌ କରିଛନ୍ତି ‘ଆପଣଙ୍କର ଚୌକିଦାର୍‌ ସିଧା ଠିଆ ହୋଇଛି ଓ ଦେଶର ସେବା କରୁଛି। କିନ୍ତୁ ମୁଁ ଏକୁଟିଆ ନୁହେଁ। ଯେଉଁମାନେ ଦୁର୍ନୀତି,ସାମାଜିକ ଅନ୍ୟାୟ ବିରୁଦ୍ଧରେ ଲଢୁଛନ୍ତି, ସେମାନେ ବି ଜଣେ ଜଣେ ଚୌକିଦାର। ଯେଉଁମାନେ ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ବି ଜଣେ ଚୌକିଦାର। ଆଜି ପ୍ରତ୍ୟେକ ଭାରତୀୟ କହୁଛନ୍ତି ‘ମୁଁ ବି ଚୌକିଦାର’।’ ଏହି ଭିଡିଓରେ ଶେଷରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟା ସମୟରେ ତାଙ୍କ ସହିତ ଯୋଡ଼ି ହେବା ଲାଗି ନିବେଦନ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ କଟାକ୍ଷ କରି ‘ଚୌକିଦାର ଚୋର ର୍ହୖ’ ବୋଲି ପ୍ରଚାର କରାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ତାଙ୍କର ଅଧିକାଂଶ ଜନସଭାରେ ରାଫେଲ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର ର୍ହୖ’ ବୋଲି କହି ବୁଲଛନ୍ତି। ଏହାକୁ ପ୍ରତିହତ କରିବା ଲାଗି ସମ୍ଭବତଃ ବିଜେପି ପକ୍ଷରୁ ‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କରାଯାଇଛି।