ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ଭାବ ବିନିମୟ କରିଛନ୍ତି। ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହିସବୁ ଗ୍ରାମାଞ୍ଚଳ ପ୍ରତିନିଧି ତଥା ଅଧିକାରୀମାନଙ୍କ ସହ ଆଲୋଚନା କରିବା ଅବସରରେ ସମନ୍ୱିତ ଗ୍ରାମ ସ୍ୱରାଜ ପୋର୍ଟାଲ ତଥା ମୋବାଇଲ ଆପ୍ଲିକେସନ ଏବଂ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପାଇଁ ପ୍ରସ୍ତୁତ ହେବାକୁ ତଥା ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ କ୍ଷେତ୍ରରେ ସରପଞ୍ଚ ଏବଂ ଅଧିକାରୀମାନଙ୍କ ଲାଗି ସହାୟକ ହେବ ଇ-ଗ୍ରାମ ସ୍ୱରାଜ ଆପ୍। ଏହି ପୋର୍ଟାଲ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ରିଅଲ ଟାଇମ ମନିଟରିଂ ତଥା ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିପାରିବ। ଗ୍ରାମ ପଞ୍ଚାୟତ ସ୍ତରରେ ଡିଜିଟାଇଜେସନକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପୋର୍ଟାଲକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ସେହିଭଳି ସ୍ୱାମୀତ୍ୱ ଯୋଜନାକୁ ପାଇଲଟ ଭିତ୍ତିରେ ଆରମ୍ଭ କରାଯାଇଛି ଏବଂ ପ୍ରଥମେ ତାହା ଛଅଟି ରାଜ୍ୟରେ ପ୍ରବର୍ତ୍ତନ କରାଯିବ। ଏହାଦ୍ୱାରା ଗ୍ରାମାଞ୍ଚଳରେ ଡ଼୍ରୋନ ବ୍ୟବହାର କରାଯାଇ ଆବାସିକ କ୍ଷେତ୍ରକୁ ମ୍ୟାପିଂ କରାଯିବ। ଏହା ହେଉଛି ସର୍ଭେ କାର୍ଯ୍ୟକ୍ରମର ସର୍ବାଧୁନିକ ପଦ୍ଧତି। ଏହା ଯୋଜନାକୁ ସୁସଂଗତ କରିବା ସହ ରାଜସ୍ୱ ସଂଗ୍ରହକୁ ସୁନିଶ୍ଚିତ କରିବା ସହିତ ଗ୍ରାମାଞ୍ଚଳରେ ସମ୍ପତ୍ତି ଅଧିକାର ଉପରେ ଲୋକମାନଙ୍କ ମନରେ ସ୍ୱଚ୍ଛତା ଜାଗ୍ରତ କରିବ। ଫଳରେ ଭୂସମ୍ପତ୍ତିର ମାଲିକାନା ଥିବା ବ୍ୟକ୍ତିବିଶେଷ ତାହାରି ଆଧାରରେ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ଠାରୁ ଋଣ ପାଇଁ ଆବେଦନ କରିପାରିବେ। ଏହି ଯୋଜନା ମାଧ୍ୟମରେ ପ୍ରଦାନ କରାଯାଇଥିବା ଟାଇଟଲ ଡ଼ିଡ଼୍ ଆଧାରରେ ଭୂସମ୍ପତ୍ତି ସଂପର୍କିତ ବିବାଦର ସମାଧାନ କରାଯାଇପାରିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ‘କରୋନା ଭାଇରସ୍ ଆମର କାର୍ଯ୍ୟ କରିବାର ଶୈଳୀ ବଦଳାଇ ଦେଇଛି ଏବଂ ଏହି ମହମାରୀ ଆମ ସମ୍ମୁଖରେ ଅନେକ ସଙ୍କଟ ସୃଷ୍ଟି କରିଛି। ତେବେ ଏଥିରୁ ଏକ ବଡ଼ ଶିକ୍ଷା ମିଳିଛି ଯେ ଆମକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ହେବ। ଏବେ କରୋନା ମୁକାବିଲାରୁ ଆମକୁ ଯେଉଁ ଅଭିଜ୍ଞତା ଓ ଅନୁଭୂତି ମିଳିଛି ତା’ହୋ ହେଲା ଆମେ ଆତ୍ମନିର୍ଭର ହେଲେ ହିଁ ଯେ କୌଣସି ସ୍ଥିତିର ସଫଳ ମୁକାବିଲା କରିପାରିବା। ଗ୍ରାମ, ଜିଲ୍ଲା ଏବଂ ରାଜ୍ୟମାନେ ନିଜସ୍ତରରେ ଯୋଜନାବଦ୍ଧ ଭାବେ କାମ କରି ଆତ୍ମନିର୍ଭର ହେବାକୁ ପଡ଼ିବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲକ୍ଡାଉନ୍ ସମୟରେ ଏବେ ଗ୍ରାମଗୁଡ଼ିକ ନିଜ ସଂସ୍କାର ଯୋଗୁଁ ଭଲ ଶିକ୍ଷା ଦେଉଛନ୍ତି। ବିଶ୍ବକୁ ଏବେ ଆମ ଗ୍ରାମବାସୀମାନେ ଦୁଇ ଗଜ ଦୂର ମନ୍ତ୍ର ଦେଇଛନ୍ତି। ଏହା ସଂକ୍ରମଣ ରୋକିବା ଦିଗରେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସରପଂଚଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଥମେ ଲୋକ କହୁଥିଲେ କେନ୍ଦ୍ର ସରକାର ୧ ଟଙ୍କା ଦେଲେ ତାହା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବେଳକୁ ୧୫ ପଇସା ହୋଇଯାଉଥିଲା। ଏବେ ୧ ଟଙ୍କା ଦେଲେ ଶହେ ପ୍ରତିଶତ ଲୋକଙ୍କ ଖାତାରେ ଜାମା ହେଉଛି। ସୂଚନାଯୋଗ୍ୟ ଥରେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଦିଲ୍ଲୀ ୧ ଟଙ୍କା ପଠାଇଲେ ତାହା ଗରିବଙ୍କ ପାଖରେ ପହଞ୍ଚିବା ବେଳକୁ କେବଳ ୧୫ ପଇସା ହିଁ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/modi-5.jpg)