ସଦ୍‌ଗୁରୁଙ୍କ ଭିଡିଓ ଟୁଇଟ୍‌ କରି ‘ସିଏଏ’ ସପକ୍ଷରେ ଜନସମର୍ଥନ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ ପାଇବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାସ୍‌ଟ୍ୟାଗ୍‌ #IndiaSupportsCAAର ଶୁଭାରମ୍ଭ କରିଛନ୍ତି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳମାନେ ଏହି ନୂଆ ଆଇନ ବିଷୟରେ ଭୁଲ୍‌ ସୂଚନା ଦେଉଥିବାରୁ ‘ସିଏଏ’ ବିରୋଧରେ ପ୍ରତିବାଦ ଉଗ୍ର ହେଉଛି ବୋଲି ବିଜେପି କହିଆସୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ ଟୁଇଟ୍‌ କରିଛି ଯେ ‘ସିଏଏ’ର ଉଦ୍ଦେଶ୍ୟ ନିର୍ଯାତିତ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା; କାହାର ନାଗରିକତ୍ୱ ରଦ୍ଦ କରିବା ନୁହେଁ।

ଏଥିସହ ପ୍ରଧାନମନ୍ତ୍ରୀ ଅଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜାଗ୍ଗି ବାସୁଦେବଙ୍କର ଏକ ଭିଡିଓ ମଧ୍ୟ ଟୁଇଟ୍‌ କରିଛନ୍ତି। ଏଥିରେ ସଦ୍‌ଗୁରୁ ‘ସିଏଏ’ ସଂକ୍ରାନ୍ତରେ ଅତି ସରଳ ବ୍ୟାଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ ନ୍ୟସ୍ତସ୍ୱାର୍ଥ ସଙ୍ଗଠନଗୁଡ଼ିକ ଏହା ବିଷୟରେ ଭୁଲ୍‌ ସୂଚନା ପ୍ରସାର କରୁଛନ୍ତି।

ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ‘ସିଏଏ’ ସଂକ୍ରାନ୍ତରେ ସଦ୍‌ଗୁରୁଙ୍କ ବ୍ୟାଖ୍ୟାନ ଶୁଣନ୍ତୁ। ସେ ଐତିହାସିକ ଘଟଣାବଳୀ ବର୍ଣ୍ଣନା କରିବା ସହ ଆମ ସଂସ୍କୃତି ଓ ଭ୍ରାତୃତ୍ୱ ଉପରେ ଚମତ୍କାର ଆଲୋକପାତ କରିଛନ୍ତି।

ବିଜେପିର ଜଣେ ବରିଷ୍ଠମନ୍ତ୍ରୀ କହିଛନ୍ତି: ଲୋକମାନଙ୍କ ପାଖକୁ ଯାଇ ‘ସିଏଏ’ ବିଷୟରେ ବୁଝାଇ ଏ ସଂକ୍ରାନ୍ତରେ ସେମାନଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବାକୁ ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି।

ସମ୍ବନ୍ଧିତ ଖବର