ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲକ୍ଡାଉନ୍ ଅବଧି ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଲକ୍ଡାଉନ୍ ଆଉ ଦୁଇ ସପ୍ତାହ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସଙ୍କେତ ଦେଇଥିବା ଜଣାପଡ଼ଛି। ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ବଢ଼ାଯିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେଣୁ ଏ ନେଇ ଏକପ୍ରକାର ସହମତି ଥିବା ଜଣାପଡ଼ିଥିଲା। ତେବେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ବଢ଼ାଇବା ନେଇ .ବିଧିବଦ୍ଧ ଘୋଷଣା କରି ନଥିଲେ ହେଁ ଲକ୍ଡାଉନ୍ର ରୂପରେଖ ସଂପର୍କରେ ଖୁବଶୀଘ୍ର ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ଲାଗୁ ହୋଇଥବା ଲକ୍ଡାଉନ୍କୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦେଶବ୍ୟାପୀ ଲକ୍ଡାଉନ୍ ଅବଧି ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାର ପୂର୍ବରୁ ଲକ୍ଡାଉନ୍ ଅବଧି ବଢ଼ାଇବା ସଂକ୍ରାନ୍ତ ଘୋଷଣା କରିସାରିଥିବା ବେଳେ ଦେଶବ୍ୟାପୀ ଅବଧି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀମାନେ ସମ୍ମିଳିତ ଭାବେ ଗୁରୁତ୍ବାରୋପ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ଭଳି ସଙ୍କଟର ମୁକାବିଲା ପାଇଁ ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି ଏବଂ ଆମକୁ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ପଡ଼ିବ। ଏହି ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗାମୁଛାରୁ ପ୍ରସ୍ତୁତ ଘରୋଇ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ମାସ୍କ ପିନ୍ଧିଥିଲେ।
ପ୍ରଧାନମନ୍ତ୍ରୀ ଏହି ମାମଲାରେ ପୂର୍ବରୁ ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଗୋଟିଏ ପର୍ଯ୍ୟାୟରେ ଲକ୍ଡାଉନ୍ ପ୍ରତ୍ୟାହାର କରାଯାଇ ପାରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ବୁଧବାର ଦିନ ସର୍ବଦଳୀୟ ବୈଠକରେ କହିଥିଲେ। ସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ରାଜ୍ୟମାନେ ଏବେ କଟକଣା ବଢ଼ାଇବା ସପକ୍ଷରେ ଅଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ କରୋନା ହଟ୍ସ୍ପଟ ବଢ଼ୁଥିବାରୁ ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି।
୩୦ ଯାଏ ବଢ଼ାଇବାକୁ ଦାବି ଜଣାଇଲେ ନବୀନ
ଭୁବନେଶ୍ବର : ଲକ୍ ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସହିତ ଆଲୋଚନା ବେଳେ ଏଭଳି ପ୍ରସ୍ତାବ ଦେଇଛନ୍ତି। ଯଦିଓ ଓଡ଼ିଶା ସରକାର ଏ ନେଇ ଆଗତୁରା ଘୋଷଣା କରିସାରିଛନ୍ତି, ତଥାପି କେନ୍ଦ୍ର ଉପରେ ଚାପ ସୃଷ୍ଟି କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେହି ସମୟ ପର୍ଯ୍ୟନ୍ତ ଟ୍ରେନ୍ ଓ ବିମାନ ଚଳାଚଳ ଲାଗି ମଧ୍ୟ କେନ୍ଦ୍ର ସରକାର ଅନୁମତି ନ ଦେବା ଦରକାର। ଏହା କରୋନାକୁ କାବୁ କରିବା କ୍ଷେତ୍ରରେ ସହାୟକ ହେବ। ଉଭୟ ପ୍ରସଙ୍ଗରେ ରାଜ୍ୟ ସରକାର ଇତିମଧ୍ୟରେ କେନ୍ଦ୍ରକୁ ଅବଗତ କରିଥିବା ସୂଚାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାମାଜିକ ଦୂରତ୍ବ ରକ୍ଷା କରି କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ଓ ସର୍ବୋପରି ମନରେଗା କାମ କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେବା ଉଚିତ୍। ଏ ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ପକ୍ଷରୁ ପୂର୍ବରୁ ଚିଠି ଲେଖାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କ ଯତ୍ନ ନେବା ଲାଗି ଦାବି ରଖିଥିଲେ। ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ବସ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/modi-f.jpg)