କଶ୍ମୀର ଦ୍ବିପାକ୍ଷିକ ମାମଲା, ମଧ୍ୟସ୍ଥତା ଲୋଡ଼ା ନାହିଁ: ଟ୍ରମ୍ପ୍‌

ଆମେ ତୃତୀୟ ଦେଶକୁ କଷ୍ଟ ଦେବାକୁ ଚାହୁଁନୁ: ମୋଦୀ

ବ୍ୟାରିଟିଜ୍‌ : କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ଏହାର ସମାଧାନ କରିବାକୁ ସମର୍ଥ। ତେଣୁ ଏଥିରେ ତୃତୀୟ ପକ୍ଷ ମଧ୍ୟସ୍ଥତାର ଦରକାର ନାହିଁ। ଏହି ପ୍ରସଙ୍ଗରେ ଆମେ କୌଣସି ତୃତୀୟ ଦେଶକୁ କଷ୍ଟ ନେବାକୁ ମଧ୍ୟ ଚାହୁଁନୁ। ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହିତ ଆଲୋଚନା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ରମ୍ପ ମଧ୍ୟ ଏଥିରେ ସହମତି ପ୍ରକାଶ କରି କହିଛନ୍ତି ଯେ କଶ୍ମୀର ହେଉଛି ଦ୍ବିପାକ୍ଷିକ ସମସ୍ୟା। ଏଥିରେ ତାଙ୍କ ଦେଶ ମଧ୍ୟସ୍ଥତା କରିବ ନାହିଁ।

କଶ୍ମୀର ମାମଲାରେ ଆମେରିକାର ମଧ୍ୟସ୍ଥତା ଆଶାରେ ରହିଥିବା ପାକିସ୍ତାନ ପାଇଁ ଏହା ବଡ଼ ଧରଣର ଝଟକା ହୋଇଛି। ଆଜି ଫ୍ରାନ୍ସର ବ୍ୟାରିଟିଜ୍‌ ସହରରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ/ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ପରେ ଉଭୟ ନେତା ଗଣମାଧ୍ୟମ ସମ୍ମୁଖରେ କଶ୍ମୀର ସ୍ଥିତି ନେଇ ମତ ରଖିଥିଲେ। ମୋଦୀ ଏହି ଅବସରରେ ସ୍ପଷ୍ଟ କରିଦେଇଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରସଙ୍ଗ ଦ୍ବିପାକ୍ଷିକ ଏବଂ ଏଥିରେ ବିଶ୍ବର ଅନ୍ୟ କୌଣସି ଦେଶକୁ ଆମେ କଷ୍ଟ ଦେବାକୁ ଚାହୁନାହୁଁ। ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ଏବଂ ପାକିସ୍ତାନ ୧୯୪୭ ପୂର୍ବରୁ ଏକ ହୋଇ ରହିଥି‌େଲ ଏବଂ ଏବେ ମଧ୍ୟ ଆମେ ମିଳିମିଶି ନିଜ ନିଜର ସମସ୍ୟ ସମାଧାନ କରିପାରିବୁ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଟ୍ରମ୍ପ୍‌ ଅନେକ ଥର କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଥିଲେ। ତେବେ ଆଜି କଶ୍ମୀର ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ ସ୍ପଷ୍ଟ କରିଦେବା ପରେ ଟ୍ରମ୍ପ୍‌ ମଧ୍ୟ ଏହି ମାମଲାରେ ୟୁ-ଟର୍ଣ୍ଣ ନେଇଥିଲେ। ଏହାପୂର୍ବରୁ ଦୁଇ ଦୁଇ ଥର ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିବା ଟ୍ରମ୍ପ କହିଥିଲେ ଯେ କଶ୍ମୀରରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ଏ ବାବଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ବିସ୍ତୃତ ଆଲୋଚନା ହୋଇଛି। ଭାରତ ଏବଂ ପାକିସ୍ତାନ ସବୁ ସମସ୍ୟା ମିଳିତ ଭାବେ ଦୂର କରିପାରିବେ। କଶ୍ମୀର ମାମଲାରେ ଆଭିମୁଖ୍ୟ ସ୍ପଷ୍ଟ କରି ଟ୍ରମ୍ପ୍‌ କହିଲେ ଯେ ପାକିସ୍ତାନ ସଂଯମ ରକ୍ଷା କରି କାର୍ଯ୍ୟ କରିବା ଉଚିତ ଏବଂ ଶାନ୍ତି ନଷ୍ଟ ହେଲାଭଳି ସମସ୍ତ ପଦକ୍ଷେପରୁ ଦୂରେଇ ରହିବାକୁ ହେବ। ଉଭୟ ମୋଦୀ ଏବଂ ଇମ୍ରାନଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି ବୋଲି ଉଲ୍ଲେଖ କରି ଟ୍ରମ୍ପ କହିଲେ ‌େ‌ଯ ସେମାନେ ସମସ୍ୟାର ସମାଧାନ କରିପାରିବେ ବୋଲି ‌େସ ଆଶାବାଦୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ପାକିସ୍ତାନର ନିର୍ବାଚନ ପରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଫୋନ କରି ଦାରିଦ୍ରୢ ଓ ନିରକ୍ଷରତା ବିରୋଧରେ ଦୁଇ ଦେଶ ମିଳିତ ହୋଇ ଲଢ଼େଇ କରିବା ଉଚିତ ବୋଲି କହିଥିଲି। ଉଭୟ ରାଷ୍ଟ୍ର ଲୋକଙ୍କ ଭଲ ପାଇଁ କାମ କରିବା ଉଚିତ ବୋଲି ମୁଁ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ କହିଥିଲି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର