ନୂଆଦିଲ୍ଲୀ: ଭାରତର ଆକାଶରେ ପାକିସ୍ତାନର ଲଢୁଆ ବିମାନ ପ୍ରବେଶ ଏବଂ ପଡୋଶୀ ଦେଶରେ ଭାରତୀୟ ବାୟୁସେନାର ଜଣେ ପାଇଲଟକୁ ଅଟକ ରଖିବା ପରେ ବୁଧବାର ସଶସ୍ତ୍ର ବଳର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ସଂପର୍କୀତ ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରିଛନ୍ତି। ତିନି ସେନାର ମୁଖ୍ୟଙ୍କ ସହିତ ଆଲୋଚନା ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ସ୍ୱାଧୀନତା ଦେଇଛନ୍ତି।

Advertisment

publive-image

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସ୍ଥଳ ସେନା, ଜଳସେନା ଏବଂ ବାୟୁସେନାର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ସାକ୍ଷାତ କରିଛନ୍ତି। ତିନି ସେନାର ମୁଖ୍ୟ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନିବାସରେ ପହଂଚି ଆଲୋଚନା କରିଛନ୍ତି ଏବଂ ସୁରକ୍ଷା ସଂପର୍କୀତ ତଥ୍ୟ ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ଶୀର୍ଷ ଅଧିକାରୀ ଏକାଠି ହୋଇଥିଲେ। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ତାଲିମ ଶିବିରରେ ମଙ୍ଗଳବାର ଭୋର ସକାଳୁ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯିବା ପରେ ଭବିଷ୍ୟତ କାର୍ଯ୍ୟଶୈଳୀ ନେଇ ସେନାର ମୁଖ୍ୟ ଅଧିକାରୀ ଓ ଗୁଇନ୍ଦା ବିଭାଗର ଅଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଂଚିଥିଲେ। ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଉଭୟ ଭାରତ ଏବଂ ପାକିସ୍ତାନରେ ଉତ୍ତେଜନା ଦେଖାଯାଇଛି।