ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଟୀକାକରଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ : ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ମୋଦୀଙ୍କ ସୂଚନା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସମଗ୍ର ଦେଶରେ ଆରମ୍ଭ ହେବାକୁ ଥିବା କୋଭିଡ-୧୯ ଟିକା ପ୍ରଦାନ ଯୋଜନା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରୁଛନ୍ତି।

ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ଦୁଇଟି କୋଭିଡ-୧୯ ଟିକା ସ୍ୱଦେଶୀ ଭାରତ ବାୟୋଟେକର କୋଭାକ୍ସିନ କିମ୍ବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡକୁ ଅନୁମତି ଦେଇଛନ୍ତି । ଟୀକାକରଣର ପ୍ରଥମ ପର୍ଯ୍ୟାୟ ଆସନ୍ତା ଜାନୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବୃଦ୍ଧବୃଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ।

ଆୟୋଜିତ ବୈଠକରେ ଟିକା ପ୍ରଦାନକୁ କେନ୍ଦ୍ରକରି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ଵୟର ସମୀକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଟିକାର ବିତରଣ ଏବଂ ଟିକା ପ୍ରଦାନର ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇ ନେତାମାନେ ସୋସିଆଲ ମିଡିଆରେ ଟିକାକୁ ନେଇ କୌଣସି ଗୁଜବ ପ୍ରଚାର ଏବଂ ତିକ୍ତତା ସୃଷ୍ଟି ନ କରିବାକୁ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟିକାକରଣର ମୂଲ୍ୟ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ନିକଟରେ ସ୍ପଷ୍ଟ କରି ଦେଇଛନ୍ତି। ସମୀକ୍ଷା ବୈଠକରେ ନିଜ ନିଜ ରାଜ୍ୟରେ ଟିକା ପ୍ରଦାନ କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପ୍ରାକ୍‌ ପ୍ରସ୍ତୁତି ଶେଷ କରି ଟିକାଦାନ ଆରମ୍ଭ କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟୀକାକରଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ୩୦ କୋଟି ବ୍ୟକ୍ତିଙ୍କର ଟିକାକରଣର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧିତ ଖବର