ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରାୟ ୪୦ ଜଣ ଖ୍ୟାତନାମା ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ଭେଟିଛନ୍ତି। ନିତି ଆୟୋଗ ପକ୍ଷରୁ ଆୟୋଜିତ ‘ଆର୍ଥିକ ନୀତି-ଆଗକୁ ରାସ୍ତା’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ସାଂପ୍ରତିକ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୫.୮%କୁ ହ୍ରାସ ପାଇବା ସହିତ ବେକାରୀ ହାର ୪୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ମୁଖ୍ୟତଃ କୃଷି ଓ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ମନ୍ଥର ହେବା କାରଣରୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଚାଲିଯାଇ ୨୦୧୮-୧୯ରେ ଏହା ୬.୮ ପ୍ରତିଶତ ରହିଛି। ୨୦୧୭-୧୮ରେ ଦେଶର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିଥିଲା। ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିବା ପରେ ବିଶ୍ବର ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରେ‌ ଶୀର୍ଷ ସ୍ଥାନ ହାସଲ କରିଥିଲା। କିନ୍ତୁ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ରିପୋର୍ଟ ଆସିବା ପରେ ଭାରତଠାରୁ ଏହି ମାନ୍ୟତା ପୁଣି ଥରେ ଚୀନ୍ ଛଡ଼ାଇ ନେଇଛି। ସେହିଭଳି ବେକାରି ସମସ୍ୟା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବର୍ଷକୁ ୨ କୋଟି ନିଯୁକ୍ତି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ମୋଦୀ ସରକାର କ୍ଷମତାକୁ ଆସିଥିବା ବେଳେ ନିକଟରେ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଦେଶର ବେକାରୀ ହାର ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଥିବା ଜଣାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ବେକାରି ହାର ୬.୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଗୋଟିଏ ପଟେ ଜିଡିପି ମନ୍ଥର ହେବା ଏବଂ ଅନ୍ୟପଟେ ବେକାରୀ ହାର ରେକର୍ଡ ସ୍ତରକୁ ଛୁଇଁବା ଦ୍ବାରା ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ଅର୍ଥନୀତିର ଦୃଶ୍ୟପଟ୍ଟ ‌ଏଭଳି ଥିବାବେଳେ ଆସନ୍ତା ୫ ତାରିଖରେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୨.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବାକୁ ଯାଉଛନ୍ତି। ବଜେଟରେ ସରକାର ଅର୍ଥନୀତିକୁ ସୁଧାରିବା ପାଇଁ କି ପଦକ୍ଷେପ ନେବେ ତାହା ଉପରେ ଦେଶବାସୀଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ‌ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ଆଲୋଚନାର ଗୁରୁତ୍ବ ବଢ଼ିଯାଇଛି। ଅର୍ଥନୀତିଜ୍ଞମାନେ ଆଜି ୫ଟି ପୃଥକ୍ ଗୋଷ୍ଠୀରେ ବିଭକ୍ତ ହୋଇ ସେମାନଙ୍କ ମତ ରଖିଛନ୍ତି। ମୁଖ୍ୟତଃ ଦେଶର ସ୍ଥୂଳ ଅର୍ଥନୀତି ଏବଂ ନିଯୁକ୍ତି, କୃଷି ଏବଂ ଜଳସମ୍ପଦ, ରପ୍ତାନି, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି। ବୈଠକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରାମର୍ଶ ଓ ମତାମତ ପାଇଁ ଅର୍ଥନୀତିଜ୍ଞମାନଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି।