ବାରଣାସୀର ରିକ୍ସା ଚାଳକ ମଙ୍ଗଳ କେୱତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଝିଅର ବିବାହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଥିଲେ ମଙ୍ଗଳ

image source-pti

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରଣାସୀର ରିକ୍ସା ଚାଳକ ମଙ୍ଗଳ କେୱତଙ୍କୁ ଗତ ରବିବାର ଦିନ ଭେଟିଥିବା ଜଣାଯାଇଛି। ମଙ୍ଗଳ କେୱତ ନିଜ ଝିଅର ବିବାହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଥିଲେ । ଉଭୟଙ୍କର ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଝିଅ-ଜ୍ୱାଇଁଙ୍କୁ ସାଙ୍ଗରେ କାହିଁକି ଆଣି ନାହାନ୍ତି ବୋଲି ପଚାରିଥିଲେ । ସେହି ଦିନ ନିଜର ଅନେକ କାର୍ଯ୍ୟକ୍ରମ ଭିତରେ ମଧ୍ୟ ମଙ୍ଗଳଙ୍କୁ ଭୁଲି ନ ଥିଲେ । ପ୍ରଧାନମନ୍ତ୍ରୀ ବଡ଼ଲାଲପୁରସ୍ଥିତ ହସ୍ତକଳା ସଂକୁଳକୁ ମଙ୍ଗଳଙ୍କୁ ଡାକିଥିଲେ । ସେ ମଙ୍ଗଳଙ୍କୁ ସ୍ୱାଗତ କରି ନିଜ ପାଖରେ ବସାଇଥିଲେ । ତାଙ୍କ ସହ ୫ ମିନିଟ କଥା ହୋଇଥିଲେ । ଝିଅର ବାହାଘର କେମିତି ହୋଇଥିଲା, ଜ୍ୱାଇଁ କେଉଁଠି କାମ କରନ୍ତି ବୋଲି ବି ପଚାରି ବୁଝିଥିଲେ ।
ଏହି ଅବସରରେ ମୋଦୀ କହିଥିଲେ, ମୋତେ ଜଣାଅଛି ଯେ, ଆପଣ ଦେଶର ସେବା କରୁଛନ୍ତି । ଏଭଳି କାମ ଆଗକୁ ମଧ୍ୟ ଜାରି ରଖନ୍ତୁ । ଏହା ଏକ ଉଦାହରଣ । ମୋଦୀ ଭକ୍ତ ହୋଇ ରହିବାକୁ ଚାହୁଁଛି ବୋଲି ମଙ୍ଗଳ ଯେତେବେଳେ କହିଲେ, ପ୍ରଧାନମନ୍ତ୍ରୀ କହିଲେ- ଆପଣ ଦେଶ ପାଇଁ କାମ କରୁଛନ୍ତି । ଏଭଳି ମିଶନ ଆଗକୁ ମଧ୍ୟ ଜାରି ରଖନ୍ତୁ । ଆମେ ଆପଣଙ୍କ ସାଥୀରେ ଅଛୁ । ’
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିକ୍ସା ଚାଳକ ମଙ୍ଗଳ କେୱତଙ୍କୁ ତାଙ୍କ ଝିଅ ବାହାଘର ଉପଲକ୍ଷେ ଏକ ପତ୍ର ପଠାଇ ଶୁଭେଚ୍ଛା ଜଣାଇଥିଲେ। ମଙ୍ଗଳ ମୋଦୀ ପଠାଇଥିବା ପତ୍ରଟିକୁ ଠିକ୍‌ ତାଙ୍କ ଝିଅ ବାହାଘର ଦିନ ହିଁ ପାଇଛନ୍ତି। ମୋଦୀ ତାଙ୍କ ପରିବାରକୁ ନିଜର ଆଶୀର୍ବାଦ ଦେଇ ପତ୍ର ଲେଖିଥିଲେ।
ମଙ୍ଗଳ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ବାସିନ୍ଦା। ପୂର୍ବରୁ ମଙ୍ଗଳ ତାଙ୍କ ଝିଅ ବାହାଘର ସ୍ଥିର ହେବା ପରେ ମୋଦୀଙ୍କୁ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପଠାଇଥିଲେ।

ସମ୍ବନ୍ଧିତ ଖବର