ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇଥିବା ଉପହାର ସାମଗ୍ରୀ ସବୁର ଇ-ନିଲାମ୍ ଆଜି ସନ୍ଧ୍ୟାରେ ଶେଷ ହେବ ବୋଲି ସରକାର କହିଛନ୍ତି। ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ନିଲାମ ଆଜି ସନ୍ଧ୍ୟା ୫ଟାରେ ଶେଷ ହେବ।
ଏହି ନିଲାମରେ ଐତିହାସିକ ଏବଂ ଧାର୍ମିକ ହସ୍ତକର୍ମ ସାମଗ୍ରୀଗୁଡ଼ିକ ନିଲାମଧାରୀମାନଙ୍କୁ ଅଧିକ ଆକୃଷ୍ଟ କରୁଥିବା ବେଳେ ଅଲିମ୍ପିଆନ୍ମାନଙ୍କ କ୍ରୀଡ଼ା ସାମଗ୍ରୀଗୁଡ଼ିକ ଅଧିକ ଦରରେ ନିଲାମ ଧରାଯାଉଛି।
‘ପିଏମ୍ ମେମେଣ୍ଟୋଜ୍ େଓ୍ଵବ୍ସାଇଟ୍’ ଅନୁସାରେ, ଅଲିମ୍ପିକ୍ କ୍ରୀଡ଼ାର ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭ୍ଲିନ୍ଟି ସବୁଠୁ ଅଧିକ ଦରରେ ନିଲାମ ଧରାଯାଇଛି। ଏହାର ନିଲାମ ଡାକ ମୂଲ୍ୟ ୧ କୋଟି ଥିବା ବେଳେ ଏହାକୁ ଟ. ୧,୦୦,୫୦,୦୦୦/-ରେ ନିଲାମ ଧରାଯାଇଛି ବୋଲି େଓ୍ଵବ୍ସାଇଟ୍ରୁ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଏହି ଜାଭ୍ଲିନ୍ ପାଇଁ ଦୁଇଟି ନିଲାମ୍ ପଡ଼ିଛି।
ଦସ୍ତଖତ ଥିବା ଏହି ଜାଭ୍ଲିନ୍କୁ ନୀରଜ ଚୋପ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଦେଇଥିଲେ। ଅକ୍ଟୋବର ୪ ତାରିଖ ଦିନ ଉକ୍ତ ଜାଭ୍ଲିନ୍ର ନିଲାମ ଡାକରା ହୋଇଥିଲା ଏବଂ ପ୍ରଥମ ଦିନରେ ହିଁ ଏହାକୁ ୧୦ କୋଟି ଟଙ୍କାରେ ନିଲାମ ଧରାଯାଇଥିଲା। କିନ୍ତୁ, ଏହି ନିଲାମ ଧରାକୁ ଜାଲ୍ ହୋଇଥାଇ ବୋଲି ସନ୍ଦେହ କରି ପରେ ବାତିଲ୍ କରି ଦିଆଯାଇଥିଲା।
ପାରାଲିମ୍ପିକ୍ସ୍ ସ୍ୱର୍ଣ୍ଣପଦକ ବିଜୟୀ ସୁମିତ ଆଣ୍ଟିଲ୍ଙ୍କଦ୍ୱାରା ବ୍ୟବହୃତ ଅନ୍ୟ ଏକ ଜାଭ୍ଲିନ୍କୁ ମଧ୍ୟ ୧ କୋଟି ଟଙ୍କାରେ ନିଲାମ ଡକାଯାଇଥିଲା। ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହାକୁ ଟ. ୧,୦୦,୨୦,୦୦୦/-ରେ ନିଲାମ ଧରିଛନ୍ତି।
ସେହିଭଳି ଅଯୋଧ୍ୟା ରାମ ମନ୍ଦିରର କାଠ ମଡେଲ୍ ପାଇଁ ଏଯାବତ୍ ୨୪ଜଣ ନିଲାମ ଧରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ମନ୍ଦିରର ନିଲାମ ଡାକ ଦର ଥିଲା ଟ. ୨,୫୦,୦୦୦/-। ଟ. ୨,୫୦୦/- ନିଲାମ ଡାକ ଥିବା ଗୋଟାଏ ଧାତବ ଗଦା ଏପର୍ଯ୍ୟନ୍ତ ୫୪ଟି ନିଲାମ ଧରା ପାଇଛି। ଏଥିରୁ ସର୍ବାଧିକ ନିଲାମ ଧରା ଦର ଅଛି ୫ ଲକ୍ଷ ଟଙ୍କା।
ଏହା ବ୍ୟତିରେକେ, ଟୋକିଓ ପାରାଲିମ୍ପିକ୍ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟୀ କୃଷ୍ଣା ନାଗରଙ୍କ ସ୍ୱାକ୍ଷର ଥିବା ବ୍ୟାଡ୍ମିଣ୍ଟନ୍ ର୍ୟାକେଟ୍ ସର୍ବାଧିକ ଟ. ୮୦.୧୫ ଲକ୍ଷରେ ନିଲାମ ଧରିବାକୁ ଆଗ୍ରହ ପ୍ରକାଶ ପାଇଛି। ଏଥିପାଇଁ ସମୁଦାୟ ତିନିଜଣ ନିଲାମଧାରୀ ଆଗ୍ରହ ପ୍ରକାଶ କରିଛନ୍ତି।
ସେହିପରି, ‘ଭଗବାନ ରାମ ପରିବାର’ ଶୀର୍ଷକ ପ୍ରଭୁ ରାମ, ହନୁମାନ, ଲକ୍ଷ୍ମଣ ଏବଂ ଦେବୀ ସୀତାଙ୍କ କ୍ଷୁଦ୍ର ଧାତବ ମୂର୍ତ୍ତିକୁ ନିଲାମ ଧରିବା ଲାଗି ୪୪ଟି ଆଗ୍ରହ ପ୍ରକାଶ ପାଇଛି। ଏହାକୁ ୧୦,୦୦୦/-ରେ ନିଲାମ ଡକାଯାଇଥିଲା ବେଳେ ଏପର୍ଯ୍ୟନ୍ତ ସର୍ବାଧିକ ଟ. ୧.୩୫ ଲକ୍ଷ ଟଙ୍କା ପାଇଁ ନିଲାମ ଆଗ୍ରହ ପ୍ରକାଶ ପାଇଛି।
ଧାର୍ମିକ ସାମଗ୍ରୀ ବ୍ୟତୀତ, କାଚ ବାକ୍ସ ମଧ୍ୟରେ ଥିବା ଗୋଟାଏ ବଡ଼ ‘ଥ୍ରିଡି’ ‘ଡିଆର୍ଡିଓ’ କମାଣର ମଡେଲ୍କୁ ୫ ଲକ୍ଷ ଟଙ୍କାରେ ନିଲାମ ଡକାଯାଇଥିଲା। ସେଥିପାଇଁ ଏଯାବତ୍ ୨୩ଟି ନିଲାମ ଆଗ୍ରହ ଆସିଛି ଓ ସେଥିପାଇଁ ସର୍ବାଧିକ ଟ. ୭୫,୦୦୦/-।
ପ୍ରାପ୍ତ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୧,୩୪୮ଟି ଉପହାରରୁ ପ୍ରାୟ ୧,୦୮୩ ଟି ପାଇଁ ନିଲାମ ଧରାଯାଇଛି।