ସୁଷମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁଷମାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଭାରତୀୟ ରାଜନୀତିରେ ଏକ ଯଶସ୍ବୀ ଅଧ୍ୟାୟର ଶେଷ ହୋଇଛି। ଜଣେ ଅସାଧାରଣ ନେତାଙ୍କ ବି‌ୟୋଗରେ ଭାରତ ଶୋକ ପ୍ରକାଶ କରୁଛି, ଯିଏ କି ତାଙ୍କ ଜୀବନକୁ ଜନସାଧାରଣଙ୍କ ସେବା ଏବଂ ଗରିବଙ୍କ ଜୀବନ ଧାରଣର ମାନ ଉନ୍ନତି କରିବାରେ ଉତ୍ସର୍ଗ କରିଥିଲେ। ସୁଷମାଜୀ ଥିଲେ ଅଦ୍ବିତୀୟ ଏବଂ ସେ କୋଟି କୋଟି ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ସେ ଜଣେ ବିଚକ୍ଷଣ ବକ୍ତା ଏବଂ ଅସାଧାରଣ ସାଂସଦ ଥିଲେ। ଦଳ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ ଓ ପ୍ରଶଂସା କରୁଥିଲେ। ବିଜେପିର ଆଦର୍ଶ ଓ ସ୍ବାର୍ଥ ବିଷୟକୁ ନେଇ ସେ ଅଟଳ ଥିଲେ। ବିଜେପିର ବିକାଶ ଦିଗରେ ତାଙ୍କର ଅନେକ ଯୋଗଦାନ ଥିଲା। ସୁଷମା ଜଣେ ଚମତ୍କାର ପ୍ରଶାସକ ଏବଂ ଯେଉଁ ମନ୍ତ୍ରାଳୟ ଦାୟିତ୍ବରେ ରହୁଥିଲେ ସେଠାରେ ଏକ ଉଚ୍ଚ ମାନଦଣ୍ଡ ନିର୍ଦ୍ଧାରଣ କରୁଥିଲେ। ବିଭିନ୍ନ ଦେଶ ସହ ଭାରତର ସମ୍ପର୍କକୁ ଉନ୍ନତ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦେଶ ମନ୍ତ୍ରୀ ଭାବେ ଗତ ୫ ବର୍ଷ ମଧ୍ୟରେ ସେ ଯେଭଳି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଥିଲେ ତାହା ମୁଁ ଭୁଲିହେବନାହିଁ। ଏପରିକି ତାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ବେଳେ ମଧ୍ୟ ତାଙ୍କ କାର୍ଯ୍ୟକୁ ନ୍ୟାୟ ପ୍ରଦାନ କରିବାପାଇଁ ସେ ଯଥା ସମ୍ଭବ ପ୍ରୟାସ କରୁଥିଲେ ଏବଂ ତାଙ୍କ ମନ୍ତ୍ରାଳୟ ବିଷୟକୁ ନେଇ ସମସ୍ତ ବିଷୟରେ ଅବଗତ କରୁଥିଲେ। ତାଙ୍କ ଉତ୍ସାହ ଏବଂ ସଂକଳ୍ପ ଅଦ୍ବିତୀୟ ଥିଲା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର