ନୂଆଦିଲ୍ଲୀ: ମୋଦୀଙ୍କ ମୁହଁରେ ‘ସୋଲାର ଦିଦି’ଙ୍କ ପ୍ରଶଂସା । ମନ କି ବାତରେ ବିହାରର ‘ସୋଲାର ଦିଦି’ଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ । ବିହାରର ‘ସୋଲାର ଦିଦି’ ଭାବେ ପରିଚିତ ଦେବକୀ ଦେବୀ କେମିତି ନାରୀ ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ଏବଂ କେମିତି ତାଙ୍କ ଉଦ୍ୟମରେ ତାଙ୍କ ଅଞ୍ଚଳରେ ଚାଷ କ୍ଷେତ୍ରରେ ନୂଆ ବିପ୍ଳଳ ଆସିଛି ତାହା ୧୨୫ତମ ମନ କି ବାତ ଏପିସୋଡରେ ବଖାଣିବା ପରେ ଦେବକୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

Advertisment

ତେବେ ମୁଜାଫରପୁରର ଦେବକୀଙ୍କ ସଫଳତାର କାହାଣୀ ବଖାଣିବାକୁ ଯାଇ ମୋଦୀ କହିଥିଲେ- ଆଜିକାଲି ଆପଣ ପ୍ରାୟ ଛାତ ଉପରେ, ବଡ଼ କୋଠାରେ ଏବଂ ସରକାରୀ ଅଫିସରେ ସୌରଶକ୍ତିର ପ୍ୟାନେଲ ଗୁଡ଼ିକୁ ଦେଖୁଥିବେ। ଧିରେଧିରେ ଲୋକମାନେ ସୌରଶକ୍ତିର ଗୁରୁତ୍ୱକୁ ବୁଝୁଛନ୍ତି ଏବଂ ତାହାକୁ ଗ୍ରହଣ ବି କରୁଛନ୍ତି। ଆମ ଦେଶ ଉପରେ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ରହିଛି, ଆଉ ତାଙ୍କ ଦ୍ବାରା ବିକିରଣ ହେଉଥିବା ଶକ୍ତିର ପୂର୍ଣ୍ଣ ବ୍ୟବହାର କାହିଁକି କରାଯିବ ନାହିଁ ବୋଲି କହି ମୋଦୀ ଗ୍ରାମୀଣ ଜୀବନ ଜୀବିକା ପରିବର୍ତ୍ତନରେ ସୌରଶକ୍ତିର ଭୂମିକା କେତେ ଗୁରୁତ୍ବ ତାହା ଆଲୋକପାତ କରିଥିଲେ । ସୌରଶକ୍ତି ମଧ୍ୟ କୃଷକଙ୍କ ଜୀବନକୁ ପରିବର୍ତ୍ତନ କରିପାରେ । ସେହି ଚାଷ, ସେହି ଚାଷୀ, ସେହି କଠିନ ପରିଶ୍ରମ... କିନ୍ତୁ ଫଳାଫଳ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଉ ଏହି ପରିବର୍ତ୍ତନ ଆସୁଛି କେବଳ ସୌର ପମ୍ପ ଏବଂ ସୌର ଚାଉଳ ମିଲ୍ ମାଧ୍ୟମରେ । ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୌର ଚାଉଳ ମିଲ୍ ପ୍ରତିଷ୍ଠା କରାଯାଇଛି। ଏହି ସୌର ମିଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଉଛି । ଏହି ସୌର ପମ୍ପ୍ ଦ୍ବାରା ଦେବକୀ ତାଙ୍କ ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି ବୋଲି ମୋଦୀ କହିଥିଲେ ।

ବିହାର ମୁଜାଫରପୁର ରତନପୁରା ଗାଁର ବାସିନ୍ଦା ଦେବକୀ । ସୌର ପମ୍ପ ସାହାଯ୍ୟରେ ଗାଁର ଭାଗ୍ୟ ବଦଳାଇ ଦେଇଥିବାରୁ ତାଙ୍କୁ ଲୋକେ ଖୁସିରେ ‘ସୋଲାର ଦିଦି' ବୋଲି ଡାକୁଛନ୍ତି । ଦେବକୀଙ୍କ ଆଜିର ଏ ସଫଳତା ପଛରେ ରହିଛି ଅନେକ ସଂଘର୍ଷ । ଅଭାବରୁ ଉଦ୍ଭାବନ ପରି ତାଙ୍କ ଜୀବନ । ଦେବକୀଙ୍କ ଜୀବନ ନଥିଲା ସହଜ । ସେ କମ୍ ବୟସରେ ବିବାହ କରିଥିଲେ । ସ୍ବାମୀ ଗୋଟେ ଘରୋଇ ବ୍ୟାଙ୍କରେ ଝାଡୁଦାର ଥିଲେ । ମାତ୍ର ତାଙ୍କ ଚାକିରି ଚାଲିଯିବା ପରେ ଘର ଚଳାଇବା କଠିନ ହୋଇଥିଲା । ଏଣେ ମୁଣ୍ଡ ଉପରେ ୪ଟି ପିଲାଙ୍କ ଦାୟିତ୍ୱ ବି ଥିଲା । ଭବିଷ୍ୟତ ଅନ୍ଧାର ଦିଶୁଥିଲେ ବି ହାରିନଥିଲେ ସେ । ମନୋବଳ ତାଙ୍କର ଭାଙ୍ଗିନଥିଲା । ତାଙ୍କର ଏକ ଛୋଟ ଚାଷ ଜମି ଥିବାରୁ ସେ ସ୍ୱୟଂ ସହାୟକ ଗୋଷ୍ଠୀର ସହଯୋଗରେ ସୌର ପମ୍ପ ବିଷୟରେ ସୂଚନା ପାଇ ନିଜ କ୍ଷେତରେ ଛୋଟ ପ୍ରୟାସ ଆରମ୍ଭ କରିଥିଲେ ଏବଂ ସଫଳ ହୋଇଥିଲେ। ସୌର ପେନାଲ ଜରିଆରେ ଜମିଲେ ଜଳସେଚନ କରି ଲାଭବାନ ହୋଇଥିଲେ ଏବଂ ପରେ ତାହା ସାରା ଗାଁର ଚାଷୀଙ୍କ ଭାଗ୍ୟ ବଦଳାଇଥିଲା । ପ୍ରଥମେ କିଛି ଏକର ଜମିରେ ଜଳସେଚନ ହୋଇପାରୁଥିବା ବେଳେ ଏବେ ସୋର ଦିଦିଙ୍କ ପମ୍ପ ମାଧ୍ୟମରେ ୪୦ ଏକରରୁ ଅଧିକ ଜମିରେ ପାଣି ପହଞ୍ଚିପାରୁଛି । ୧୧୨ ଜଣ ଚାଷୀ ତାଙ୍କ ସୌର ପ୍ୟାନେଲ ମାଧ୍ଯମରେ ଜଳ ସେଚନ କରୁଥିବା ବେଳେ ଏହି ପ୍ରୟାସ ଜରିଆରେ ଖାଲି ଦେବକୀ ନୁହେଁ ବରଂ ଅନ୍ୟ ଚାଷୀଙ୍କ ଆୟ ବୃଦ୍ଧି ପାଇଛି । ପୂର୍ବରୁ ଦେବକୀଙ୍କ ଜୀବନ ଚାରି କାନ୍ଥ ମଧ୍ୟରେ ସୀମିତ ଥିଲା କିନ୍ତୁ ଆଜି ସେ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କାମ କରୁଛନ୍ତି । ସୋଲାର ଦିଦି ଭାବରେ ଟଙ୍କା ରୋଜଗାର କରୁଛନ୍ତି ବୋଲି ମୋଦୀ କହିଥିଲେ । 

ତେବେ ମୋଦୀଙ୍କ ପ୍ରଶଂସା ପରେ ପ୍ରତିକ୍ରିୟା ରଖିଛନ୍ତି ଦେବକୀ, କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସା ପାଇ ମୁଁ ବହୁତ ଖୁସି। ଏହା ମୋତେ ଆହୁରି ଉତ୍ସାହିତ କରିଛି। ମୁଁ ଗାଁରେ ସମ୍ମାନ ପାଉଛି । ସୌର ପ୍ୟାନେଲ ବାବଦରେ ମୁଁ SHG ଠାରୁ ଜାଣିବାକୁ ପାଇଲି । ପରେ ଏହି ପ୍ରୟାସ ମତେ ୪ କାନ୍ଥ ଭିତରୁ ବାହାର କରି ଗାଁରେ ନୂଆ ପରିଚୟ ଦେଇଛି ।