ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ସଂସଦରେ ବିଜେଡି ଓ ଏନ୍‌ସିପି ସଭ୍ୟ ଶୃଙ୍ଖଳିତ
ଗୃହ ମଧ୍ୟଭାଗକୁ ଯାଇ ହଙ୍ଗାମା କରନ୍ତି ନାହିଁ
ବିଜେପି ସମେତ ଅନ୍ୟ ଦଳ ବିଜେଡିଠୁ ଶିଖନ୍ତୁ

ନୂଆଦିଲ୍ଲୀ : ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବିଜେଡିର ଶୃଙ୍ଖଳିତ ଆଚରଣକୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଏଥିସହିତ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର କାର୍ଯ୍ୟଶୈଳୀକୁ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଆଜି ରାଜ୍ୟସଭାର ଐତିହାସିକ ୨୫୦ତମ ଅଧିବେଶନରେ ସମ୍ବୋଧନ କରି ଏହି ଦୁଇ ଦଳର ସାଂସଦଙ୍କ ଠାରୁ ଅନ୍ୟମାନେ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୃହରେ ସମ୍ବୋଧନ କରିବା ସମୟରେ ବିଜେଡି ଓ ଏନ୍‌ସିପିକୁ ଉଦାହରଣ ଭାବେ ଦର୍ଶାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଦଳ ଗୃହର ମଧ୍ୟ ଭାଗକୁ ଆସି ହୋ’ହାଲ୍ଲା କରି ନ ଥା’ନ୍ତି। ଗୃହର କାର୍ଯ୍ୟରେ ବି କେବେ ବାଧା ସୃଷ୍ଟି କରନ୍ତି ନାହିଁ। ବରଂ, ଉଚିତ ଢଙ୍ଗରେ ସେମାନେ ଦାବି ଉପସ୍ଥାପନ କରିବା ସହିତ ସଂସଦର ନୀତିନିୟମକୁ ମାନିଥା’ନ୍ତି।

ତାଙ୍କ ଦଳ (ବିଜେପି)ର ସଭ୍ୟମାନେ ମଧ୍ୟ ଏମାନଙ୍କ ଡାରୁ ଶିଖିବ‌ା ଉଚିତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟସଭାରେ ‘ଚେକ୍‌ ଆଣ୍ଡ ବାଲାନ୍ସ’ ସିଦ୍ଧାନ୍ତ ଲାଗୁ ହେବା ଦରକାର। ଗୃହରେ ଅବରୋଧ ସୃଷ୍ଟି ପରିବର୍ତ୍ତେ ଆଲୋଚନାର ରାସ୍ତା ବାଛିବା ଦରକାର। ଏହି ପ୍ରସଙ୍ଗରେ ସେ ବିଜେଡି ଓ ଏନ୍‌ସିପିର ଶୃଙ୍ଖଳିତ ଆଚରଣକୁ ଉଦାହରଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ଦଳ ନିଷ୍ପତ୍ତି ନେଇଥିଲେ ସେମାନେ କେବେହେଲେ ଗୃହର ମଧ୍ୟଭାଗ(ୱେଲ୍‌)କୁ ଯିବେନାହିଁ। ସେମାନେ କେବେହେଲେ ଏହି ନିୟମକୁ ଭାଙ୍ଗି ନାହାନ୍ତି। ୱେଲ୍‌କୁ ନ ଯାଇ ବିଜେଡିର ବିକାଶର ଯାତ୍ରାରେ କେବେ ବି ଅବରୋଧ ଆସିନାହିଁ। ଏନ୍‌ସିପିର ମଧ୍ୟ କୌଣସି ରାଜନୈତିକ କ୍ଷତି ଘଟିନାହିଁ। ୱେଲ୍‌କୁ ନ ଯାଇ ମଧ୍ୟ ଲୋକଙ୍କ ହୃଦୟ ଜିତି ପାରିବେ, ହି ଦୁଇ ଦଳ ପ୍ରମାଣ କରିଛନ୍ତି। ଆମ ସମସ୍ତଙ୍କୁ ଏଥିରୁ ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମେ ଯେତେବେଳେ ବିରୋଧୀ ଦଳରେ ଥିଲୁ, ଆମେ ମଧ୍ୟ ଏହି କାମ କରୁଥିଲୁ। ହେଲେ, ଆମକୁ ଶିଖିବାକୁ ପଡ଼ିବ। ଦୁଇ ଦଳ ଯେଉଁଭଳି ଭାବରେ ଉତ୍ତମ ଢଙ୍ଗରେ ଶୃଙ୍ଖଳାକୁ ଗୁରୁତ୍ବ ଦେଉଛନ୍ତି, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ରାଜ୍ୟସଭାର ସମସ୍ତ ସାଂସଦ ଟେବୁଲ୍‌ ବାଡ଼େଇ ସ୍ବାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାକୁ ଭାରତୀୟ ସଂଘୀୟ ବ୍ୟବସ୍ଥାର ଆତ୍ମା ବୋଲି କହିବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶ ଆଗକୁ ବଢ଼ିବ ବୋଲି କହିଥିଲେ। ରାଜ୍ୟର ବିକାଶ କେନ୍ଦ୍ରର କାର୍ଯ୍ୟ। ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ବନ୍ଦ୍ବୀ ନ ହୋଇ ସହଯୋଗୀ ହୋଇ କାମ କରିବାକୁ ମୋଦୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଭାଗ ନେଇ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ଦଳକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ତାଙ୍କ ଦଳ ଦ୍ବାରା ଗୃହ କାର୍ଯ୍ୟରେ କୌଣସି ଅବରୋଧ ସୃଷ୍ଟି କରାଯିବ ନାହିଁ। ଗୃହ ପରିଚାଳନାରେ ଶୃଙ୍ଖଳିତ ଆଚରଣ ଜାରି ରଖିବାର ପ୍ରୟାସ ସହିତ ରାଜ୍ୟ ସ୍ବାର୍ଥକୁ ସାଲିସ୍ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ସେ ଓଡ଼ିଶା ବିଧାନ ପରିଷଦ ଗଠନ ବିଲ୍‌କୁ ଶୀଘ୍ର ପାରିତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ଆହୁରି ରାଜ୍ୟସଭାର ଅବଦାନ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଦେଶର ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ- ଇନ୍ଦିରା ଗାନ୍ଧୀ, ଏଚ୍ ଡି ଦେବଗୌଡ଼ା ଓ ଡକ୍ଟର ମନମୋହନ ସିଂହ ରାଜ୍ୟସଭାର ସଦସ୍ୟ ଥିଲେ। ରାଜ୍ୟସଭା ଓ ଲୋକସଭା ଉଭୟକୁ ଉଚ୍ଚ ସଦନ ବା ନିମ୍ନ ସଦନ ନ କହି ବରଂ ଉଭୟ ପରସ୍ପରର ପରିପୂରକ ବୋଲି କହିବା ଉଚିତ୍‌।

ଏହି ଅବସରରେ ରାଷ୍ଟପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହେଉଥିବା ୧୨ ସଦସ୍ୟ ଚୟନରେ ରାଜନୈତିକ ହସ୍ତକ୍ଷେପ ନହେବା ଆବଶ୍ୟକ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସମ୍ବନ୍ଧିତ ଖବର