ଦେଖନ୍ତୁ: ଫଟୋ ସେସନ୍‌ ପାଇଁ ସୋଫାରେ ବସିବାକୁ ମନା କରି ଚେୟାର୍‌ରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭ୍ଲାଦିଭୋସ୍ତକ: ଗୁରୁବାର ଦିନ ରୁଷ୍‌ର ଭ୍ଲାଦିଭୋସ୍ତକ ଠାରେ ଫଟୋ ସେସନ୍‌ ପାଇଁ ଖାସ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତେ ରଖାଯାଇଥିବା ସୋଫାରେ ବସିବାକୁ ସେ ମନା କରି ଅନ୍ୟମାନଙ୍କ ସହ ମିଶି ଚେୟାର୍‌ରେ ବସିଥିଲେ। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ପୋଷ୍ଟ କରିଥିବା ଭିଡିଓରେ ଦେଖାଯାଉଛି ଯେ ଫଟୋ ସେସନ୍‌ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକାରୀମାନେ ସ୍ୱାଗତ କରୁଛନ୍ତି।

କିନ୍ତୁ ପ୍ରଧାନମନ୍ତ୍ରୀ ସୋଫା ପରିବର୍ତ୍ତେ ଚେୟାର୍‌ରେ ବସିବାକୁ କହୁଛନ୍ତି। ଏହା ପରେ ଅଧିକାରୀମାନେ ଆରାମଦାୟକ ସୋଫା ହଟାଇ ସିଧାସାଧା ଚୌକିଟିଏ ପକାଇ ତାଙ୍କର ଫଟୋ ଉଠାଉଛନ୍ତି। ଭିଡିଓ ସହ ଗୋୟଲ ଟୁଇଟ୍‌ କରିଛନ୍ତି: ଆୟୋଜିତ ସ୍ୱତନ୍ତ୍ର ବ୍ୟବସ୍ଥା ହଟାଇ ରୁଷ୍‌ରେ ଅନ୍ୟମାନଙ୍କ ସହ ଚୌକିରେ ବସିବାକୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିରାଡ଼ମ୍ବରତା ପ୍ରଦର୍ଶନ କରିଛନ୍ତି।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ସେୟାର୍‌ ହୋଇଛି ଏବଂ ମୋଦୀଙ୍କ ଆଚରଣକୁ ନାଗରିକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଜଣେ ଟୁଇଟର୍‌ ବ୍ୟବହାରକାରୀ କହିଛନ୍ତି: କି ସୁନ୍ଦର ଆଚାର। କହିବାକୁ ଭାଷା ନାହିଁ। ସରଳତା ଦେଖ। ଅନ୍ୟ ଜଣେ ଲେଖିଛନ୍ତି: ଆମ ପ୍ରଧାନମନ୍ତ୍ରୀ ବିନୟୀ ଓ ଗମ୍ଭୀର ଯିଏ ତଳେ ମଧ୍ୟ ବସିପଡ଼ନ୍ତି।

ପଞ୍ଚମ ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌ ଯୋଗଦେବା ଓ ୨୦ତମ ଭାରତ-ରୁଷ୍‌ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଦିନିଆ ଗସ୍ତରେ ଭ୍ଲାଦିଭୋସ୍ତକ ଯାଇଥିଲେ। ଶୁକ୍ରବାର ପ୍ରତ୍ୟୁଷରେ ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର