ନେତାଜୀଙ୍କ ସ୍ମୃତିରେ ଆଣ୍ଡାମାନ ଓ ନିକୋବରର ୩ ଦ୍ବୀପର ନୂଆ ନାମ ଦେଲେ ପ୍ରଧାନମନ୍ତ୍ରୀ; ଉନ୍ମୋଚନ କଲେ ୭୫ ଟଙ୍କାର ସ୍ମାରକୀ ମୁଦ୍ରା

ପୋର୍ଟ ବ୍ଲେୟାରରେ ନେତାଜୀଙ୍କର ଜାତୀୟ ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି

ପୋର୍ଟ ବ୍ଲେୟାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ ଓ ନିକୋବର ଦୀପ ଗସ୍ତ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବୋଷଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ସେ ନେଇଲ୍ ଓ ହଭଲୋକ୍ ଦ୍ବୀପକୁ ଯଥାକ୍ରମେ ସହିଦ୍ ଓ ସ୍ବରାଜ ଭାବେ ନାମକରଣ କରିଛନ୍ତି। ସେହିପରି ରୋସ୍ ଦ୍ବୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ଭାବେ ନାମିତ କରାଯାଇଛି। ପୋର୍ଟ ବ୍ଲେୟାରରେ ନେତାଜୀଙ୍କର ଜାତୀୟ ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ନାମକରଣ କରାଯାଇଛି। ଏଥିସହ ପୋର୍ଟ ବ୍ଲେୟାରରେ ୧୫୦ ଫୁଟ ଦୀର୍ଘ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାଛଡା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଏକ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୭୫ ଟଙ୍କାର ଏହି ସ୍ମାରକୀ ମୁଦ୍ରା ଅନ୍ୟ ମୁଦ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି ।

ନେତାଜୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାରି ସ୍ମାରକୀ ମୁଦ୍ରା ସାଧାରଣରେ ବ୍ୟବହାର କରାଯାଇ ପାରିବ ନାହିଁ । ଏହା କେବଳ ସ୍ମାରକ ଭାବେ ରହିବ । ସାଧାରଣ ଲୋକ ଏହାକୁ ରିଜର୍ଭ ବ୍ୟାଙ୍କରୁ ପାଇପାରିବେ । ଏହି ୭୫ ଟଙ୍କିଆ ସ୍ମାରକୀ ମୁଦ୍ରାର ଦାମ ପାଖାପାଖି ୩୦୦୦ ଟଙ୍କା ରହିବ ।

ଗତମାସ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ ନେଇ ସୂଚନା ଦିଆଯାଇଥିଲା । ମୁମ୍ବାଇର ମୁଦ୍ରଣ କାରଖାନରେ ଏହି ସ୍ମାରକୀ ମୁଦ୍ରା ନିର୍ମାଣ କରାଯାଇଛି । ୭୫ ଟଙ୍କିଆ ସ୍ମାରକୀ ମୁଦ୍ରାର ଓଜନ ୩୫ ଗ୍ରାମ ଓ ଏହି ମୁଦ୍ରାରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ଲେଖାଏଁ ନିକେଲ ଓ ଜିଙ୍କ୍ ଧାତୁ ରହିଛି । ରିପୋର୍ଟ ମୁତାବକ ମୁଦ୍ରାରେ ସେଲ୍ୟୁଲାର ଜେଲର ପଛରେ ତ୍ରିରଙ୍ଗାକୁ ସୁଭାଷ ଚନ୍ଦ୍ର ବୋଷ ସଲାମ ଦେଉଥିବାର ଚିତ୍ର ରହିବ ।

ସମ୍ବନ୍ଧିତ ଖବର