ମହାବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ମୋଦୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବଙ୍ଗୋପସାଗରରେ ଉତ୍ପନ୍ନ ହୋଇଥିବା ମହାବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ରଣନୀତିର ସମୀକ୍ଷା କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ପଶ୍ଚିମବଂଗ ଓ ଓଡ଼ିଶା ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଶ୍ଚିମ ବଂଗ ଓ ଓଡ଼ିଶା ଉପରେ ‘ଅମ୍ଫାନ’ର ବିଶେଷ ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିବାରୁ ଏହି ଦୁଇଟି ରାଜ୍ୟରେ କେମିତି ବାତ୍ୟାର ମୁକାବିଲା କରାଯିବ ଏବଂ ଧନଜୀବନର ସୁରକ୍ଷା ସାଙ୍ଗକୁ କ୍ଷୟକ୍ଷତି ହ୍ରାସ କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଗୃହମନ୍ତ୍ରୀ ଅମିତ୍‌ ଶାହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପି.କେ. ସିହ୍ନା, କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଏନ୍‌ଡିଆର୍‌ଏଫ୍‌ ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହୋଇଥିଲେ। ପରେ ଏନ୍‌ଡିଆର୍‌ଏଫ୍‌ ମହାନିର୍ଦ୍ଦେଶକ ସତ୍ୟ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଏନ୍‌ଡିଆର୍‌ଏଫ୍‌ର ୩୦ଟି ଟିମ୍‌ ମୁତୟନ ହୋଇଛନ୍ତି ଏବଂ ଅନ୍ୟ ୧୧ଟି ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ସେଥିମଧ୍ୟରୁ ୧୭ଟି ଟିମ୍‌ ପଶ୍ଚିମବଙ୍ଗରେ ଏବଂ ୧୩ଟି ଟିମ୍‌କୁ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତି ଜିଲ୍ଲାରେ ରଖାଯାଇଛି। ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏବେ ଓଡ଼ିଶାର ୪ଟି ବ୍ଲକ୍‌ରେ ପ୍ରାୟ ୬୦ ହଜାର ଏବଂ ପଶ୍ଚିମ ବଂଗର ପ୍ରାୟ ୨ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ କାର୍ଯ୍ୟ କରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର