ନୂଆଦିଲ୍ଲୀ: ହରିୟାଣାରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ହେଉଛି ଗୀତାର ଭୂମିରେ ବିକାଶ ଓ ସୁଶାସନର ବିଜୟ । ସେ ମଧ୍ୟ ଜାମ୍ମୁ ଓ କଶ୍ମୀରରେ ନ୍ୟାସନାଲ କନଫରେନ୍ସର ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି ।
ବିଜେପି ମୁଖ୍ୟାଳୟଠାରେ ଅନୁଷ୍ଠିତ ସମାରୋହରେ ସେ କହିଛନ୍ତି, ହରିୟାଣାର ଗଠନ ୧୯୬୮ରେ ହୋଇଥିଲା । ଏସବୁ ବର୍ଷରେ ଅନେକ ଦଳ ରାଜ୍ୟକୁ ଶାସନ କରିଛନ୍ତି । ହରିୟାଣାରେ ଏପର୍ଯ୍ୟନ୍ତ ୧୩ ଥର ବିଧାନସଭା ନିର୍ବାଚନ ହୋଇଛି । ଏହି ୧୩ ଥର ମଧ୍ୟରୁ ୧୦ ଥର ଏପରି ହୋଇଛି ଯେ ପ୍ରତିଶର ସରକାର ବଦଳିଛି । କିନ୍ତୁ ପ୍ରଥମ ଥର ପାଇଁ ଏପରି ହୋଇଛି ଯେ ଲଗାତାର ୨ଥର କ୍ଷମତାରେ ଥିବା ଦଳକୁ ପୁଣି ଥରେ ହରିୟାଣାବାସୀ କ୍ଷମତା ଅର୍ପଣ କରିଛନ୍ତି । ଏହି ବିଜୟର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ପଡ଼ିବ ।
ଭାରତ ବିରୋଧରେ ବିଭିନ୍ନ ଷଡ଼ଯନ୍ତ୍ର ଚାଲିଛି । ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଚାଲିଛି । ଦେଶର ଏକତା, ଅର୍ଥନୀତିକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି । ମୁଁ ଦାୟିତ୍ବର ସହ କହିବି ଯେ କଂଗ୍ରେସ ଏଥିରେ ସାମିଲ ଅଛି । ଆମେ ଭାରତୀୟମାନେ ସଂକଳ୍ପ ନେବା ଉଚିତ ଯେ ଆମେ ଏପରି କୌଣସି ଷଡ଼ଯନ୍ତ୍ରକୁ ସଫଳ କରିବାକୁ ଦେବୁ ନାହିଁ ।
ଲୋକମାନେ କଂଗ୍ରେସକୁ ଥରେ କ୍ଷମତାକୁ ଆଣିଲେ ଆର ଥରକୁ ଆଣୁନାହାନ୍ତି । ଏପରି ଅନେକ ରାଜ୍ୟ ଅଛନ୍ତି ଯେଉଁଠାରେ ୫୦-୬୦ ବର୍ଷ ହେଲା କଂଗ୍ରେସ କ୍ଷମତାକୁ ଆସିନାହିଁ । ଅଧିକାଂଶ ରାଜ୍ୟର ଲୋକେ କଂଗ୍ରେସ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲଗାଇଦେଇଛନ୍ତି । କଂଗ୍ରେସ ସବୁବେଳେ ଭାବିଥାଏ ଯେ କିଛି କାମ ନ କଲେ ବି ଲୋକେ କ୍ଷମତାକୁ ଆଣିବେ । କିନ୍ତୁ ଏବେ କଂଗ୍ରେସର ପୋଲ୍ ଖୋଲିଯାଇଛି । କଂଗ୍ରେସ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ବୋଲି ଭାବିଥାଏ । କ୍ଷମତାରେ ନଥିଲେ କଂଗ୍ରେସର ଅବସ୍ଥା ଜଳ ବିନା ମାଛର ଅବସ୍ଥା ପରି ହୋଇଥାଏ । କ୍ଷମତା ପାଇଁ କଂଗ୍ରେସ ଦେଶକୁ ବି ବାଜି ଲଗାଇଦିଏ । ଆଜି ଦେଶବାସୀ ଦେଖୁଛନ୍ତି କିପରି କଂଗ୍ରେସ ଦେଶରେ ଜାତିବାଦର ବିଷ ଘୋଳିବାରେ ଲାଗିଛି । ଯେଉଁମାନେ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି ସେମାନେ ଦେଶର ଗରିବଙ୍କୁ ଜାତିବାଦ ମଧ୍ୟକୁ ଠେଲିଦେବାକୁ ଚେଷ୍ଟା କରୁଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସର ରାଜପରିବାର ଦେଶରୁ ସଂରକ୍ଷଣ ଲୋପ କରିବାକୁ ଘୋଷଣା କରିଦେଇଛି । ଦେଶରେ ବିଭେଦ ସୃଷ୍ଟି କରିବା, ଦେଶର ଏକତାକୁ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି । ଦେଶବାସୀ ଦେଖିଛନ୍ତି କିପରି କୃଷକମାନଙ୍କୁ ଉସୁକାଯାଇଥିଲା । କିନ୍ତୁ ହରିୟାଣାର କୃଷକମାନେ ସେମାନଙ୍କୁ କଡ଼ା ଜବାବ ଦଇଛନ୍ତି ଯେ ସେମାନେ ଦେଶ ଓ ବିଜେପି ସହ ଅଛନ୍ତି । ହରିୟାଣା ଲୋକମାନେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଦେଶବିରୋଧୀ ନୀତି ଚାଲିବ ନାହିଁ ।
ଭାରତ ବିରୋଧରେ ବିଭିନ୍ନ ଷଡ଼ଯନ୍ତ୍ର ଚାଲିଛି । ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଚାଲିଛି । ଦେଶର ଏକତା, ଅର୍ଥନୀତିକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି । ମୁଁ ଦାୟିତ୍ବର ସହ କହିବି ଯେ କଂଗ୍ରେସ ଏଥିରେ ସାମିଲ ଅଛି । ଆମେ ଭାରତୀୟମାନେ ସଂକଳ୍ପ ନେବା ଉଚିତ ଯେ ଆମେ ଏପରି କୌଣସି ଷଡ଼ଯନ୍ତ୍ରକୁ ସଫଳ କରିବାକୁ ଦେବୁ ନାହିଁ ।