ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ସରକାର ଖର୍ଚ୍ଚ କରିବେ ୮୨୦ କୋଟି ଡଲାର, ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌବାଣିଜ୍ୟ ସମ୍ମିଳନୀ-୨୦୨୧କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ  । ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାମୁଦ୍ରିକ ଅର୍ଥବ୍ୟବସ୍ଥାର ବିକାଶ ହୋଇପାରିଲେ ଦେଶରେ ବିକାଶର ଗତି ଦ୍ରୁତ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସହ ଅନ୍ୟକିଛି ଦେଶର ସଦସ୍ୟମାନେ ଯୋଗ ଦେଇଥିଲେ । ଏହାସହ ୫୦ ଦେଶରୁ ୧ ଲକ୍ଷରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦ କୋଟି ଟଙ୍କା ବିନିଯୋଗ କରାଯିବ । ସାଗରମାଳା ଯୋଜନାରେ ୫୭୪ରୁ ଅଧିକ ପ୍ରକଳ୍ପ ଉପରେ କାମ କରାଯିବ । ୨୦୩୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ସେ କହିଥିଲେ ।

Moneycontrol

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ଜଳମାର୍ଗ ପରିଚାଳନା ଉପରେ କାମ କରାଯିବ । ଏହି ଯୋଜନାରେ ମୋଟ ୧୮୯ ଟି ବନ୍ଦରକୁ ବିକଶିତ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୧୪ ମସିହାରେ ପ୍ରମୁଖ ବନ୍ଦରର କ୍ଷମତା ୮୭୦ ମିଲିୟନ ଟନ୍ ଥିଲା ହେଲେ ଏହା ଏବେ ବୃଦ୍ଧି ପାଇ ୧୫୫୦ ମିଲିୟନ ଟନ୍ ରେ ପହଞ୍ଚିଛି । ଫଳରେ ଲାଭାଂଶର ବୃଦ୍ଧି ଘଟିଛି ଓ ତାହା ଦ୍ୱାରା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦେଶକୁ ବି ଲାଭ ମିଳୁଛି । ଏହା ସହ ବନ୍ଦର ଅଞ୍ଚଳରେ ସ୍ମାର୍ଟ ସିଟି ଓ ଔଦଗ୍ୟିକ ପାର୍କ ଆଦି ନିର୍ମାଣ କରାଯାଇ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର