ନୂଆଦିଲ୍ଲୀ: ଫସିଗଲେ… ଫସିଗଲେ… ଫସିଗଲେରେ.. ଫସିଗଲେ… ଡୋନାଲ୍ଡ ଟ୍ରମ୍ପ ନିଜ ଜାଲରେ । ହଁ ଆଜ୍ଞା ! ଓଡିଆ ଚଳଚ୍ଚିତ୍ର ଅଭିମନ୍ୟୁର ଏ ଗୀତ ପ୍ରାୟ ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଏହି ଗୀତ ଏବେ ଟ୍ରମ୍ପଙ୍କ ପାଇଁ ପୂରା ଖାପ୍ ଖାଉଛି । କାରଣ ଟ୍ରମ୍ପ୍ ଟାରିଫ ବୋମା ଫିଙ୍ଗି ଯେଉଁ ଜାଲ ବିଛାଇଥିଲେ ଏବେ ବିଶ୍ବର ବଡ଼ ବଡ଼ ଶକ୍ତିଶାଳୀ ରାଷ୍ଟ୍ରର ମେଳି ପରେ ଟ୍ରମ୍ପ ନିଜ ଜାଲରେ ନିଜେ ଫଶିଯିବା ଭଳି ଦୃଶ୍ୟମାନ ହେଉଛି ।

Advertisment

କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ଆଜି ଯିଏ ବନ୍ଧୁ, କାଲି ସିଏ ବଇରୀ । କାଲି ଯିଏ ଶତ୍ରୁ ଆଜି ସିଏ ବନ୍ଧୁ । ଏକଥା ଖାଲି ରାଜନୀତିରେ ନୁହେଁ ବରଂ ରାଷ୍ଟ୍ରନୀତି, ବିଦେଶନୀତିରେ ବି ଦେଖିବାକୁ ମିଳେ । ଯେଉଁଠି ଗୋଟେ ରାଷ୍ଟ୍ର ବିରୋଧରେ ମେଳି ଦେଖିବାକୁ ମିଳେ… ଏଇ ଯେମିତି ଆମେରିକା ବିରୋଧରେ ଚୀନର ଛାତି ଉପରେ ଛକିଶୂନର ଖେଳ ଖେଳି ମେଳି ବାନ୍ଧିଛନ୍ତି ବଡ଼ ଶକ୍ତି । ଯାହାକୁ ଦେଖି ଟେନସନରେ ପଡିଯାଇଛନ୍ତି ଟ୍ରମ୍ପ । କାରଣ ତ୍ରିଶକ୍ତି- ଭାରତ, ରୁଷ ଏବଂ ଚୀନ ଏବେ ଏକାଠି । ମୋଦୀ, ପୁଟିନ ଏବଂ ଜିନପିଙ୍ଗଙ୍କୁ ଏକାଠି ବୁଲିବା, ଏକାଠି କଥା ହେବାର ଦେଖିବାକୁ ମିଳିଛି । ତିନି ଜଣଙ୍କ ହସଖୁସିର ଫଟୋ, କଥାବାର୍ତ୍ତାର ଫଟୋ ଏବେ ସାମ୍ନାକୁ ଆସୁଥିବା ବେଳେ ୩ ଜଣଙ୍କ ବଡି ଲାଙ୍ଗୁଏଜ ଭିନ୍ନ ବାର୍ତ୍ତା ଦେଉଛି । ତିନିହେଁ ନିଜ ନିଜ ସ୍ଥାନରେ ନିଜ ଦେଶର ସ୍ବାର୍ଥ ପାଇଁ ବନ୍ଧୁତାର ସମ୍ପର୍କକୁ ସୁଦୃଢ କରିଥିବା ସେମାନଙ୍କ ଆଚରଣ କହୁଥିବା ବେଳେ ଏହି ଫଟୋ ସବୁ ଟ୍ରମ୍ପଙ୍କ ଟେନସନର କାରଣ ସାଜିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କୁହାଯାଉଛି ୩ ମହାଶକ୍ତିଙ୍କ ଫଟୋ ଦେଖି ଟ୍ରମ୍ପଙ୍କ ବ୍ଲଡ୍ ପ୍ରେସର ବଢିଯାଇଥିବ ।

କାଚ ଘରେ ରହି ଟେକା ଫିଙ୍ଗିବା ମନା… ଯାହା ଏବେ କରିଛନ୍ତି ଟ୍ରମ୍ପ୍ । ବିଭିନ୍ନ ଦେଶକୁ ଟ୍ରମ୍ପ୍ ଟାରିଫ ଟେକା ଫିଙ୍ଗିଥିବା ବେଳେ ସେହି ଟେକା ଏବେ ତାଙ୍କ ପାଇଁ ବୁମେରାଂ ସାଜିଛି ଏବଂ ଆଗକୁ ସାଜିବ ମଧ୍ୟ । ଗତକାଲି ଜିନପିଙ୍ଗଙ୍କ ସହ ମୋଦୀଙ୍କ ବନ୍ଧୁତାପୂର୍ଣ୍ଣ ଆଲୋଚନା ଏବଂ ଆଜି ପୁଟିନଙ୍କ ସହ ଗୋଟିଏ କାରରେ ବୁଲାବୁଲି ଏବଂ କଥାବାର୍ତ୍ତା ଏକ ଭିନ୍ନ ଦିଗକୁ ଦର୍ଶାଇଛି । ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ପାଇଁ ମୋଦୀ ଓ ପୁଟିନ ଗୋଟିଏ କାରରେ ଯାତ୍ରା କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଶକ୍ତି, ନିବେଶ, ବାଣିଜ୍ୟ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବା ନେଇ ଆଲୋଚନା ସହ । ଆମେରିକାର ୫୦ ପ୍ରତିଶତ ଟାରିଫ ଉପରେ ମଧ୍ଯ ଆଲୋଚନା ହୋଇଥିବା କୁହାଯାଉଛି ।

ତେବେ ବିଶ୍ବ ମଞ୍ଚରେ ବିଶ୍ବ ଶକ୍ତିଙ୍କୁ ଏକଜୁଟ୍‌ ହେବାର ଦେଖି ଆକ୍ତାମାକ୍ତା ହେଲେଣି  ଟ୍ରମ୍ପ ।  ଡୋନାଲ୍ଡ ଟ୍ରମ୍ପ ଏବେ ମନେ ମନେ ଭାବିବାକୁ ବାଧ୍ୟ ହେଉଥିବେ ଯେ ଟାରିଫ୍ ମାଡ କରି ବୋଧେ ମୁଁ ଭୁଲ କରିଦେଲି । କାରଣ ଶିଖର ସମ୍ମିଳନୀ ମଞ୍ଚରେ ମୋଦୀ, ଜିନ୍‌ପିଙ୍ଗ, ପୁଟିନଙ୍କ ବନ୍ଧୁତ୍ବପୂର୍ଣ୍ଣ ଫଟୋ, ହାତରେ ହାତ ମିଶାଇ ଗଭୀର କଥାବାର୍ତ୍ତା ଟ୍ରମ୍ପଙ୍କୁ ଦ୍ବନ୍ଦରେ ପକାଇବା  ସ୍ବାଭାବିକ୍‌ । ଟାରିଫ ପ୍ରହାରର  ତିନି ମାସ ଭିତରେ ବଦଳିଯାଇଛି ବିଶ୍ବ ରାଜନୀତିର ସମୀକରଣ ଯାହା ଟ୍ରମ୍ପ କେବେ କଳ୍ପନା ବି କରି ନଥିବେ । 

ଆନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କ ଏକ ନିରନ୍ତର ପରିବର୍ତ୍ତନଶୀଳ ପ୍ରକ୍ରିୟା । ଯେଉଁଠାରେ ବନ୍ଧୁତା ଏବଂ ଶତ୍ରୁତା ସମୟ ଓ ପରିସ୍ଥିତି ଅନୁସାରେ ରୂପାନ୍ତରିତ ହୋଇଥାଏ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭଳି ବିଶ୍ୱର ତିନି ପ୍ରମୁଖ ନେତା ଏକାଠି ହୁଅନ୍ତି, ସେତେବେଳେ ଏହା ବିଶ୍ୱ ରାଜନୀତିରେ ଏକ ବଡ଼ ପ୍ରଭାବ ପକାଇବାର ସୂଚନା ଦିଏ । ବିଶେଷ କରି ଆମେରିକା ପାଇଁ ଚିନ୍ତାର କାରଣ ହୋଇପାରେ । ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ନେତାଙ୍କ ପାଇଁ ଏଭଳି ଦୃଶ୍ୟ ରକ୍ତଚାପ ବଢ଼ାଇବା ସ୍ୱାଭାବିକ ନିଶ୍ଚିତ । 

ଗୋଟେ ପଟେ ୩ ମହାଶକ୍ତିଙ୍କ ମହାମିଳନର ଫଟୋ ସାରା ବିଶ୍ବରେ ଚର୍ଚ୍ଚାରେ ରହିଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ଥିବା ପାକିସ୍ତାନ ସମ୍ମିଳନୀରେ ଏକ ଘରିକିଆ ହେଲା ଭଳି ହୋଇଛି । ମୋଦୀ ପୁଟିନଙ୍କ ସହ କଥା ହୋଇ ହୋଇ ସେହି ରାସ୍ତାରେ ଯାଉଥିଲେ ବି ଶେହବାଜଙ୍କ ପ୍ରତି ନଜର ଦେଇ ନାହାନ୍ତି, ପୁଟିନ ମଧ୍ଯ ଅଣଦେଖା କରିଛନ୍ତି । ଆଉ ପୁଟିନ-ମୋଦୀଙ୍କୁ ଜଳକା ହୋଇ ଚାହିଁ ରହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଯାହା ସୋସିଆଲ୍ ମିଡିଆରେ ଭାରି ଭାଇରାଲ୍ ହେଉଛି ।