ନୂଆଦିଲ୍ଲୀ: ଶୁକ୍ରବାର ଦିନ ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ବଡ଼ ବଡ଼ ଘୋଷଣା କରିଥିଲେ। ଜିଏସଟିଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଟାରିଫ୍ ପର୍ଯ୍ୟନ୍ତ, ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରି ନିଜର ପ୍ରତିକ୍ରିୟା ରଖିଥିବା ଦେଖାଯାଇଥିଲା। ଏହି ଭାଷଣରେ ଦେଶର ସୁରକ୍ଷା ଓ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଭାଷଣରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା 'ସୁଦର୍ଶନ ଚକ୍ର'ର ଘୋଷଣା।
ଯେକୌଣସି ସମ୍ଭାବ୍ୟ ବିପଦ ବିରୋଧରେ ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଭାରତ ୨୦୩୫ସୁଦ୍ଧା 'ସୁଦର୍ଶନ ଚକ୍ର' ନାମକ ଏକ ଉନ୍ନତ ଜାତୀୟ ସୁରକ୍ଷା କବଚ ବିକଶିତ କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହି ଅତ୍ୟାଧୁନିକ ଅସ୍ତ୍ର ଦେଶର ଢାଲ ହେବ। ଏହା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବ ଏବଂ ଆଗାମୀ ୧୦ବର୍ଷ ସୁଦ୍ଧା ବଢୁଥିବା ବିପଦରୁ ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ମିଶନ ପଛରେ ଥିବା ପ୍ରେରଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହା ଭଗବାନ ଶ୍ରୀକୃଷ୍ଣଙ୍କ 'ସୁଦର୍ଶନ ଚକ୍ର' ଦ୍ୱାରା ଅନୁପ୍ରାଣିତ। ଏହି ମିଶନ ସହ ଜଡିତ ସମସ୍ତ ଗବେଷଣା, ବିକାଶ ଏବଂ ଉତ୍ପାଦନ ଭାରତରେ ହିଁ କରାଯିବ ଏବଂ ଏହାକୁ ଦେଶର ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ।
ସେ ମହାଭାରତର ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ ଯେ, କିପରି ଭଗବାନ ଶ୍ରୀକୃଷ୍ଣ ତାଙ୍କର 'ସୁଦର୍ଶନ ଚକ୍ର'ରେ ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରି ଦିନକୁ ଅନ୍ଧକାର କରିଥିଲେ, ଯାହା ଅର୍ଜୁନଙ୍କୁ ତାଙ୍କର ପ୍ରତିଜ୍ଞା ପୂରଣ କରିବାରେ ସକ୍ଷମ କରିଥିଲା। ସେହିପରି, ଭାରତର 'ସୁଦର୍ଶନ ଚକ୍ର' ମିଶନ ମଧ୍ୟ ଶତ୍ରୁମାନଙ୍କର ପ୍ରତ୍ୟେକ ଆକ୍ରମଣକୁ ନିଷ୍କ୍ରିୟ କରିପାରିବ ଏବଂ ଅଧିକ ଶକ୍ତି ସହିତ ପ୍ରତିଶୋଧ ନେଇପାରିବ। ଏହି ମିଶନ ଅଧୀନରେ ଏକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବିକଶିତ କରାଯିବ, ଯାହା କେବଳ ଶତ୍ରୁର ଆକ୍ରମଣକୁ ରୋକିବ ନାହିଁ ବରଂ ସେମାନଙ୍କ ଉପରେ ଆକ୍ରମଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/15/new-project-3-2025-08-15-10-14-17.jpg)