‘ନମୋ ଆପ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ; କେମିତି ରହିଛି ସାଢ଼େ ଚାରି ବର୍ଷର ମୋଦି ଶାସନ?

ନୂଆଦିଲ୍ଳୀ: ଆପଣଙ୍କ ଦୃଷ୍ଟିରେ ମୋଦି ସରକାର ଦେଶ ପାଇଁ କେମିତି? ଏକଥା କୌଣସି ବିରୋଧୀ ନୁହେଁ ବରଂ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଚାରୁଛନ୍ତି। ମୋଦି ଏବେ ଦେଶବାସୀଙ୍କ ପାଖରୁ ନିଜ ସଂପର୍କରେ ମତାମତ ନେବା ପାଇଁ ଗତବର୍ଷ ପରି ଏବର୍ଷ ବି ‘ନମୋ ଆପ୍‌’କୁ ଜରିଆ କରିଛନ୍ତି। ଯାହା ଫଳରେ ସେ ସଂପୂର୍ଣ୍ଣ ଦେଶବାସୀଙ୍କୁ ମୋଦି ସରକାରଙ୍କର ସକରାତ୍କମ ଓ ନକାରାତ୍ମକ ପକ୍ଷ କହିବା ପାଇଁ ଆହ୍ଵାନ କରିଛନ୍ତି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ନିଜ ପ୍ରତି ଲୋକମାନଙ୍କ ଧାରଣ କ’ଣ ଜାଣିବାର ଜିଜ୍ଞାସା ବ୍ୟକ୍ତ କରିଛନ୍ତି। ଆପ୍‌ ଜରିଆରେ ଏକ ଦେଶ ସ୍ତରୀୟ ସର୍ଭେ କରାଯିବାର ଯୋଜନା ରହିଛି। ଏହି ସର୍ଭେରେ ମହାଗଠବନ୍ଧନ ବିଷୟରେ ବି ଲୋକଙ୍କୁ ପଚରାଯିବ। କେଉଁ ଅଞ୍ଚଳରେ ମହାଗଠବନ୍ଧନ କାର୍ଯ୍ୟକାରୀ ହେବ ବୋଲି ଲୋକଙ୍କ ମତାମତ ଗ୍ରହଣ କରାଯିବ। ଏହି ସର୍ଭେ ଜରିଆରେ ମୋଦି ସରକାରଙ୍କ ପ୍ରତି ଲୋକଙ୍କ ଧାରଣା ସହ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳର ସମସ୍ୟାଗୁଡ଼ିକ ବି ଜଣାପଡ଼ିବ।

ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟର୍‌ରେ ଏକ ଭିଡିଓ ପୋଷ୍ଟ୍‍ କରିଛନ୍ତି। ଭିଡିଓରେ ସେ କହୁଥିବାର ଶୁଣିବାକୁ ମିଳିଛି ଯେ, ‘ଆପଣଙ୍କ ମତାମତ ଜରୁରୀ। ଏହା ଆମକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସାହାଯ୍ୟ କରିବ। ଆପଣମାନେ ନିଶ୍ଚୟ ଏହି ସର୍ଭେରେ ସାମିଲ ହୁଅନ୍ତୁ ଓ ଅନ୍ୟମାନଙ୍କୁ ବି ସାମିଲ୍‌ କରାନ୍ତୁ।’

ସର୍ଭେ କରାଯିବା ପାଇଁ ଉଦ୍ଦିଷ୍ଟ ‘ନମୋ ଆପ୍‌’ଟି ପ୍ରତ୍ୟେକ ସ୍ମାର୍ଟଫୋନେ୍‌ ଓ ଆଇଫୋନ୍‌ରେ ଇନ୍‌ଷ୍ଟଲ୍‌ କରିହେବ। ସ୍ୱାସ୍ଥ୍ୟ ସେବା, କୃଷି ବିକାଶ, ନିଯୁକ୍ତି ସୁଯୋଗ, ଶିକ୍ଷା, ଆଇନ୍‌, ଦର, ଦୁର୍ନୀତି ମୁକ୍ତ ସରକାର, ସ୍ୱଚ୍ଛ ଭାରତ ଅର୍ଥନୀତି, ଜାତୀୟ ସୁରକ୍ଷା ଆଦି ଆଧାରରେ ଏହି ସର୍ଭେ କରାଯିବ।

ଆହୁରି ବି ସୂଚନା ରହିଛି ଯେ ମତଦାତାମାନେ ଦୁର୍ବଳ ମୂଲ୍ୟାଙ୍କନ କଲେ ସଂସଦରେ ଥିବା ସଦସ୍ୟ ବି ଏହି ସର୍ଭେରେ ସାମିଲ ହୋଇପାରିବେ। ଗତବର୍ଷ ମେ ମାସରେ ମୋଦି ସରକାରକୁ ଚାରି ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ‘ନମୋ ଆପ୍‌’ ଜରିଆରେ ଏପରି ସର୍ଭେ କରାଯାଇଥିଲା।

ସମ୍ବନ୍ଧିତ ଖବର