ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ସହଯୋଗିତା ସୁଦୃଢ଼ କରିବା ମୋ ଗସ୍ତର ଉଦ୍ଦେଶ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତରେ ୟୁରୋପ ଯିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିବୃତି ଜାରି କରି କହିଛନ୍ତି, ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ସହଯୋଗିତା ସୁଦୃଢ଼ କରିବା ମୋ ଗସ୍ତର ଉଦ୍ଦେଶ୍ୟ।

ବିବୃତିରେ ସେ କହିଛନ୍ତି, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନ୍ବେଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଯୁଦ୍ଧ ୯ମ ସପ୍ତାହରେ ପ୍ରବେଶ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପ ଗସ୍ତ କରୁଛନ୍ତି। ସେ ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସ୍ଲୋଜ୍‌, ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନ୍‌ ଏବଂ ଫ୍ରାନ୍‌ସ୍‌ର ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଭେଟିବେ।

ବିବୃତିରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ମାକ୍ରୋନ୍‌ ନିକଟ ଅତୀତରେ ପୁନଃ ନିର୍ବାଚିତ ହୋଇଛନ୍ତି। ମାତ୍ର ୧୦ ଦିନ ହେବ ସେ ବିଜୟ ହାସଲ କରିଥିବାରୁ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇ ପାରିବି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ତର ହେବ। ଭାରତ-ଫ୍ରାନ୍‌ସ୍‌ ରଣନୈତିକ ସହଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ ନିର୍ଦ୍ଧାରଣ ପାଇଁ ମଧ୍ୟ ସୁଯୋଗ ମିଳିବ।

ରଣନୈତିକ, ଆଞ୍ଚଳିକ ଏବଂ ବୈଶ୍ବିକ ବିକାଶ କ୍ଷେତ୍ରରେ ଚିନ୍ତାର କାରଣ ‌ହୋଇଥିବା ପ୍ରସଙ୍ଗ ଉପରେ ଜର୍ମାନ ସହ ମତ ବିନିମୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୋମବାରଠାରୁ ୨ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନି ଗସ୍ତ କରିବେ। ପରବର୍ତ୍ତୀ ଦୁଇଦିନ ସେ ଡେନ୍‌ମାର୍କ ଗସ୍ତ କରି ‘ଭାରତ-ନର୍ଡିକ୍‌ ଶିଖର ସମ୍ମିଳନୀ’ର ଦ୍ବିତୀୟ ସଂସ୍କରଣରେ ଯୋଗ ଦେବେ। ଏହା ପରେ ସେ ପ୍ୟାରିସ୍‌ ଗସ୍ତ କରିବେ।

ସମ୍ବନ୍ଧିତ ଖବର