ନୂଆଦିଲ୍ଲୀ: ମାଇକ୍ରୋ- ବ୍ଲଗିଂ ସାଇଟ୍ ଟ୍ଵିଟରରେ ରେଜିଷ୍ଟର ଥିବା ଜାଲ୍, ସନ୍ଦେହଜନକ ଓ ‘ଅଟୋମେଟେଡ୍ ଆକାଉଣ୍ଟ’ଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇବା ପାଇଁ ଏବେ ଜୋରସୋରରେ ପ୍ରୟାସ ଆରମ୍ଭ କରିଦେଇଛି। ଏବଂ ଏହି କ୍ରମରେ ଅନେକ ସନ୍ଦେହଜନକ ଆକାଉଣ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇ ସାରିଲାଣି। ତେବେ, ମାଇକ୍ରୋ- ବ୍ଲଗିଂ ସାଇଟ୍ ଟ୍ଵିଟରର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତୀୟ ରାଜନେତାମାନେ। କାରଣ, ଏହି କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ଟ୍ଵିଟର ଫଲୋୟର୍ସମାନଙ୍କ ସଂଖ୍ୟାରେ ଆଶାତୀତ ହ୍ରାସ ପରିଲକ୍ଷିତ ହୋଇଛି।
‘ସୋସିଆଲବ୍ଲେଡ୍’ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଟ୍ଵିଟରର ଏପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ନେତା ଶଶି ଥରୁର୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ଵିଟର ହାଣ୍ଡଲ ଆକାଉଣ୍ଟ (@narendramodi) ଗୋଟିଏ ଦିନରେ ହରାଇଛି ୨,୮୪,୭୪୬ ଫଲୋୟର୍ସ। ଜୁଲାଇ ୧୨ରେ ଏହି ଆକାଉଣ୍ଟରେ ୪୩,୩୮୩,୫୨୫ ଫଲୋୟର୍ସ ଥିବାବେଳେ ଆଜିକା ତାରିଖ ଅର୍ଥାତ ୧୩ ଜୁଲାଇରେ ଏହି ରିପୋର୍ଟ ଲେଖାଯିବା ବେଳକୁ ଏହାର ସଂଖ୍ୟା ଆସି ପହଞ୍ଚିଛି ୪୩,୦୯୮,୭୭୯ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି (@PMOIndia) ଯାହାର ଫଲୋୟର୍ସ ସଂଖ୍ୟାରେ ହ୍ରାସ ଘଟିଛି ୧୪୦, ୬୩୫।
ପ୍ରଧାନମନ୍ତ୍ରୀଙ୍କ ପରକୁ ଯେଉଁ ଭାରତୀୟ ରାଜନେତା ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେ ହେଲେ କଂଗ୍ରେସର ଶଶି ଥରୁର୍। ତାଙ୍କ ଫଲୋୟର୍ସ ସଂଖ୍ୟା ୧,୫୧,୫୦୯ କମିଯାଇଛି। ପୂର୍ବରୁ ଥରୁର୍ଙ୍କ ଟ୍ଵିଟର ଫଲୋୟର୍ସ ସଂଖ୍ୟା ୬,୭୩୮,୭୯୪ ଥିବା ବେଳେ ଏବେ ତାହା ୬,୫୮୭,୨୫୮ରେ ପହଞ୍ଚିଛି।
ତେବେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି କର୍ଯ୍ୟାନୁଷ୍ଠାନ ପରେ ଟ୍ଵିଟର ସିଇଓ ଜାକ୍ ଡୋରସେଙ୍କ ଫଲୋୟର୍ସ ସଂଖ୍ୟାରେ ମଧ୍ୟ ୨,୦୦,୦୦୦ ହ୍ରାସ ଘଟିଥିବା ଜାଣିବାକୁ ମିଳିଛି।
Action on this starts today https://t.co/HSfFE9ReLi
— jack (@jack) July 12, 2018
(I lost 200k followers ??????)
— jack (@jack) July 12, 2018