ଭାରତ-ଆମେରିକା ମୈତ୍ରୀର ନୂତନ ଅଧ୍ୟାୟ ଲେଖି ହ୍ବାଇଟ୍‌ ହାଉସ୍‌ ‘ଭିଜିଟର୍ସ ବୁକ୍‌’ରେ ସ୍ବାକ୍ଷର କଲେ ପ୍ରଧାନମନ୍ତ୍ରୀ ମୋଦୀ

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର ବନ୍ଧୁତ୍ବର ଆତ୍ମାକୁ କାଳିରେ ଲିପିବଦ୍ଧ କରି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଇଟ୍‌ ହାଉସ୍‌ର ‘ରୁଜ୍‌ଭେଲଟ୍‌ ରୁମ୍‌’ରେ ଥିବା ‘ପରିଦର୍ଶକ ଖାତା’ ବା ‘ଭିଜିଟର୍ସ ବୁକ୍‌’ରେ ସ୍ବାକ୍ଷର କରିଛନ୍ତି।

‘ରୁଜ୍‌ଭେଲଟ୍‌ ରୁମ୍‌’ ହେଉଛି ହ୍ବାଇଟ୍‌ ହାଉସ୍‌ର ପଶ୍ଚିମ ପାର୍ଶ୍ବରେ ଥିବା ଗୋଟାଏ ସଭାଗୃହ। ଏହି ପାର୍ଶ୍ବର ନକ୍ସା ପାଇଁ ଅବଦାନ ଦେଇଥିବା ଦୁଇଜଣ ଆମେରିକୀୟ ରାଷ୍ଟ୍ରପତି- ଥିଓଡିଓର୍‌ ରୁଜ୍‌ଭେଲ୍‌ଟ୍‌ ଏବଂ ଫ୍ରାଙ୍କ୍‌ଲିନ୍‌ ଡି. ରୁଜ୍‌ଭେଲ୍‌ଟ୍‌ଙ୍କ ନାମାନୁସାରେ ଏହି ପ୍ରକୋଷ୍ଠର ନାମକରଣ କରାଯାଇଛି।

Image Courtesy of NDTV

ଟୁଇଟ୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଲେଖିଛନ୍ତି, ହ୍ବାଇଟ୍‌ ହାଉସ୍‌ର ରୁଜ୍‌ଭେଲ୍‌ଟ୍‌ ରୁମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶକ ଖାତାରେ ସ୍ବାକ୍ଷର କରି ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ବନ୍ଧୁତ୍ବର ଆତ୍ମାକୁ ସ୍ୟାହିରେ ଲିପିବଦ୍ଧ କରିଛନ୍ତି।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମହାତ୍ମା ଗାନ୍ଧୀ ଏବଂ ତାଙ୍କ ପ୍ରଚାରିତ ଶାନ୍ତି, ଅହିଂସା, ସହନଶୀଳତା, ସମ୍ମାନ ଏବଂ ମାନବୀୟ ବିଶ୍ବାସବୋଧ ପ୍ରସଙ୍ଗର ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ଅବସରରେ ହ୍ବାଇଟ୍‌ ହାଉସ୍‌ର ଓଭାଲ୍ ଅଫିସ୍‌ରେ ବାଇଡେନ୍‌ ସାମ୍ବାଦିକମାନଙ୍କୁ କହିଲେ, ଆଗାମୀ ସପ୍ତାହରେ ବିଶ୍ବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରିବ। ଆଜି ସଭିଙ୍କୁ ପ୍ରାସଙ୍ଗିକ ମନେହେଉଥିବା ତାଙ୍କ ଅହିଂସା, ସମ୍ମାନ, ସହନଶୀଳତା ବାର୍ତ୍ତା କଥା ଚିରକାଳ ପ୍ରାସଙ୍ଗିକ ହୋଇ ରହିପାରେ।

ସମ୍ବନ୍ଧିତ ଖବର