ରାୟପୁର (ଛତିଶଗଡ଼): ଆସନ୍ତା ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ରାଜ୍ୟରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି।

Advertisment


ଏହି ଅବସରରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଜଗଦଲପୁର ଠାରେ ଆଜି ମଧ୍ୟାହ୍ନରେ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସ ଦଳ ଉପରେ ଖୁବ୍‌ ବର୍ଷିଛନ୍ତି। କଂଗ୍ରେସ ବିରୋଧରେ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିରୋଧୀ ଦଳ ସହରୀ ମାଓବାଦୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି। ସେମାନେ ସହରମାନଙ୍କରେ ବାତାନୁକୂଳିତ ପରିବେଶରେ ଜୀବନଯାପନ କରିବା ସହ ବଡ଼ ବଡ଼ ଦାମିକା ଗାଡ଼ି ଚଢ଼ୁଛନ୍ତି; ନିଜ ପିଲାମାନଙ୍କୁ ବିଦେଶରେ ପଢ଼ାଉଛନ୍ତି। ଆଉ ହାତରେ ଧରିଥିବା ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଯୁବକମାନଙ୍କର ଜୀବନକୁ ତଳିତଳାନ୍ତ କରି ଦେଉଛନ୍ତି। ଏପରିସ୍ଥିତିରେ କଂଗ୍ରେସ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସହରୀ ମାଓବାଦୀମାନଙ୍କୁ ସମର୍ଥନ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।


ଏଥିସହ ‘ସବ୍‌କା ସାଥ, ସବ୍‌କା ବିକାଶ’ର ଆହ୍ଵାନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼କୁ ଖୁବ୍‌ ଶୀଘ୍ର ଏକ ଉନ୍ନତ ଓ ବିକଶିତ ରାଜ୍ୟରେ ପରିଣତ କରିବେ ବୋଲି ଘୋଷଣା କରିବା ସହ ବିଜେପି ସରକାର କେବଳ ବିକାଶ ମଧ୍ୟମରେ ହିଁ ରାଜ୍ୟରୁ ନକ୍ସଲ ସମସ୍ୟାର ସମାଧାନ କରିବ ବୋଲି ଘୋଷଣା କରିଛନ୍ତି।