ବାରିପଦା: କେନ୍ଦ୍ର ସରକାର ଦେଶର ବିକାଶ ଲାଗି ସଂକଳ୍ପବଦ୍ଧ। ଗତ ସାଢ଼େ ୪ ବର୍ଷ ଧରି ଏହି ସଂକଳ୍ପର ରୂପାୟନ ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ତି। ଏଥି ସହ ପୂର୍ବ ଓ ଉତ୍ତରପୂର୍ବ ଭାରତର ବିକାଶକୁ କେନ୍ଦ୍ର ସରକାର ଖୁବ୍‌ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ନୂଆ ଭାରତର ନିର୍ମାଣ ଧାରା ଅଗ୍ରଗତି କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ପୁଲିସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିଛନ୍ତି।

Advertisment

publive-image
ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ସ୍ପଷ୍ଟ କରିଛନ୍ତି କି ତାଙ୍କ ସରକାର ଧ୍ୟାନ ସବ୍‌କା ସାଥ୍‌ ସବ୍‌କା ବିକାଶ ଉପରେ କେନ୍ଦ୍ରୀତ। ଦେଶରେ ଭିତ୍ତିଭୂମିର ପ୍ରସାର ଦ୍ୱାରା ସର୍ବାଙ୍ଗୀନ ବିକାଶ ହେବା ସହ ରୋଜଗାର ଉତ୍ସ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ବର୍ତ୍ତମାନ ଭିତ୍ତିଭୂମି ବିକାଶ ଲାଗି ଯେତିକି ଅର୍ଥ ଖର୍ଚ୍ଚ ହେଉଛି ଅତୀତରେ କୌଣସି ସରକାର ଏତେ ପରିମାଣର ଅର୍ଥ ଖର୍ଚ୍ଚ କରି ନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି। ଓଡ଼ିଶାରେ ହଜାର ହଜାର କୋଟି ବିନି ଯୋଗରେ ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

publive-image

ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାରେ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ  କରିଛନ୍ତି । ଏହାରି ଭିତରେ ରହିଛି ନୂଆ ସଡ଼କପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ରେମୁଲି-କୋଇଡା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ ୪ ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ କରିଛନ୍ତି ମୋଦି । ଏହି ରାଜପଥ ପାଇଁ ୩୩୧୮ କୋଟି ଟଙ୍କାର ପୁଂଜି ନିବେଶ ହୋଇଛି ।

publive-image

ସେହିପରି ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନର୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ୧୦୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨ଟି ରେଳ ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି ମୋଦି । ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି ।

ତେବେ ବାରିପଦା ଗସ୍ତ ଅବସରରେ ମୋଦି ହରିପୁରଗଡ ଠାରେ ଥିବା ରସିକରାୟ ମନ୍ଦିର ଓ ଖନନ କରାଯାଇଥିବା ଢାଂଚାର ସଂରକ୍ଷଣ ଏବଂ ବିକାଶ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ବିଶାଳ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।