ଉତ୍ତରାଖଣ୍ଡରେ ରାସ୍ତା-ଶ୍ରମିକଙ୍କ ସଙ୍ଗେ ଖିଚିଡ଼ି ଖାଇ ଅସ୍ଥାୟୀ ଟିଣଛପର ଘରେ ଶୋଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମାନା ନିକଟସ୍ଥ ସମୁଦ୍ର ପତ୍ତନଠାରୁ ୧୧,୩୦୦ ଫୁଟ୍‌ ଉଚ୍ଚ ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ ‘ଡିଟାଚ୍‌ମେଣ୍ଟ୍‌’ରେ ଥିବା ଗୋଟାଏ ଅର୍ଦ୍ଧସ୍ଥାୟୀ ତଥା ଟିଣଛପର ହୋଇଥିବା ଘରେ ରାତ୍ରୀଯାପନ କରିଥିଲେ।

ଏହାଛଡ଼ା, ‘ବର୍ଡର୍‌ ରୋଡ୍‌ସ୍ ଅର୍ଗାନାଇଜେସନ୍‌’ରେ କାର୍ଯ୍ୟରତ ଶ୍ରମଜୀବୀମାନେ ରାନ୍ଧିଥିବା ସାଦା ଖିଚିଡ଼ି, ମାଣ୍ଡିଆ ରୁଟି, ସ୍ଥାନୀୟ ଚଟଣୀ ଓ ବାଜରା ଖିରି ଖାଇଥିଲେ।

‘ବର୍ଡର୍‌ ରୋଡ୍‌ସ୍ ଅର୍ଗାନାଇଜେସନ୍‌’ର ଜଣେ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମାନାସ୍ଥିତ ଆମ ‘ଡିଟାଚ୍‌ମେଣ୍ଟ୍‌’ ପରିଦର୍ଶନ କରି ରାତ୍ରୀଯାପନ କରିବେ ବୋଲି ଶୁଣି ଆମେ ଆଚମ୍ବିତ ହୋଇଗଲୁ। ଜଣେ ଯୁବ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପାହ୍ୟାର ଅଫିସର୍‌ଙ୍କ ନେତୃତ୍ବାଧୀନ ଆମ ‘ଡିଟାଚ୍‌ମେଣ୍ଟ୍‌’ରେ ଭିତ୍ତିଭୂମି ଅତି ସ୍ବଳ୍ପ ଏବଂ ଏଠାରେ କୌଣସି ସୁବିଧା ନାହିଁ।

Image Courtesy of India Today

କିନ୍ତୁ, ପ୍ରଧାନମନ୍ତ୍ରୀ ଆସିବା ଜାଣି ‘ବର୍ଡର୍‌ ରୋଡ୍‌ସ୍ ଅର୍ଗାନାଇଜେସନ୍‌’ ସେଠାରେ ଚଳିବା ପାଇଁ ଆବଶ୍ୟକ ସର୍ବନିମ୍ନ ସୁବିଧା କରିଥି‌ଲା। ଶ୍ରମିକ ଓ ରାସ୍ତା ନିର୍ମାଣକାରୀମାନଙ୍କ ସହିତ ଆଳାପ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ ଜଣକୁ ରାତ୍ରୀ ଭୋଜନ ପାଇଁ ଖିଚିଡ଼ି ରାନ୍ଧିବାକୁ କହିଲେ।

ଜଣେ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଇଁ କୌଣସି ବିଶେଷ ସାମଗ୍ରୀ ଅଣାଗଲା ନାହିଁ। ‘ଡିଟାଚ୍‌ମେଣ୍ଟ୍‌’ ରୋଷେଇଘରେ ଯାହା ଥିଲା ପ୍ରଧାନମନ୍ତ୍ରୀ ଓ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନେ ତାହାହିଁ ଖାଇଲେ।

ଭୋଜନ ପରେ ପ୍ରଧାନମନ୍ତ୍ରୀ ୧୧,୩୦୦ ଫୁଟ୍‌ ଉଚ୍ଚରେ ଥିବା ସାଧାରଣ କୋଠରିରେ ରହିଲେ। ରାତିରେ ତାପମାତ୍ରା ଶୂନ୍ୟ ତଳକୁ ଖସିଯାଉଥିବାରୁ ସେ କୋଠରିରେ ଗୋଟାଏ ଛୋଟ ଇଲେକ୍ଟ୍ରିକ୍‌ ହିଟର୍‌ ରଖାଯାଇଥିଲା।

ସମ୍ବନ୍ଧିତ ଖବର