ଏୟାରଷ୍ଟ୍ରାଇକକୁ ନେଇ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନର କଡ଼ା ଜବାବ ଦେଲେ ମୋଦି : କହିଲେ, ସେନାର ଅପମାନ କରୁଛନ୍ତି ବିରୋଧୀ 

ନୂଆଦିଲ୍ଲୀ : କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ । ବାଲାକୋଟ ଏୟାରଷ୍ଟ୍ରାଇକ୍ ନେଇ ଉଠାଇଲେ ପ୍ରଶ୍ନ । କୌଣସି ଗୋଟିଏ ଆକ୍ରମଣ ପାଇଁ ପୁରା ପାକିସ୍ତାନକୁ ଦୋଷ ଦେବା ଏବଂ ସେଠାକୁ ଯୁଦ୍ଧ ବିମାନ ପଠାଇବା ଅନୁଚିତ ବୋଲି କହିଛନ୍ତି ପିଟ୍ରୋଡା । ଏହାକୁ ନେଇ ଏବେ ସରଗରମ ପୁରା ରାଜନୀତି । ପରସ୍ପର ଭିତରେ ଦୋଷାରୋପ ଚାଲିଥିବା ବେଳେ ଏହି ମନ୍ତବ୍ୟ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ରାଜନୈତିକ ଝଡ଼ । ପୁଣି ଚର୍ଚ୍ଚାରେ ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପ୍ରସଙ୍ଗ । ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତିକି ତୀବ୍ର ହେବାରେ ଲାଗିଛି । ପାକିସ୍ତାନ ବାଲାକୋଟରେ ଏୟାର ଷ୍ଟ୍ରାଇକକୁ ନେଇ କେତେକ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ବହିର୍ବ୍ୟାପାର ମୁଖ୍ୟ ସାମ୍ ପିଟ୍ରୋଡା । ସେ କହିଥିଲେ,

– ବାଲାକୋଟରେ କ’ଣ ବାୟୁସେନା ସତରେ ଏୟାରଷ୍ଟ୍ରାଇକ୍ କରିଛି?

– ଯଦି ଏୟାରଷ୍ଟ୍ରାଇକ୍ ହୋଇଛି, ତାହା ହେଲେ କେତେ ଲୋକ ମଲେ?

– ଭାରତୀୟ ନାଗରିକ ଭାବେ ମୋତେ ଜାଣିବାର ଅଧିକାର ରହିଛି

ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ନେଇ କେବଳ ପ୍ରଶ୍ନ ଉଠାଇ ନାହାନ୍ତି ପିଟ୍ରୋଡା, ବରଂ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ମଧ୍ୟ ସରକାର ଚାହିଁଥିଲେ ଏଭଳି ଯୁଦ୍ଧ ବିମାନ ପଠାଇ ଆକ୍ରମଣ କାରିପାରିଥାନ୍ତେ କିନ୍ତୁ ସେଭଳି କରିନଥିଲେ ବୋଲି କହିଛନ୍ତି । କାରଣ ଭାରତର ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳରେ ଆକ୍ରମଣ ହେଲେ ପୁରା ପାକିସ୍ତାନକୁ ଦାୟି କରି ଆକ୍ରମଣ କରାଯିବା ଉଚିତ୍ ନୁହେଁ ବୋଲି ସେ ଯୁକ୍ତି ରଖିଛନ୍ତି ।

ଯାହାକୁ ନେଇ ଖୁବ କଡା ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ୪ଟି ଟ୍ୱିଟ୍ କରି ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ରାଜ ପରିବାରର ବିଶ୍ୱସ୍ତ ମାନି ନେଇଛନ୍ତି ଯେ, ଆତଙ୍କବାଦୀଙ୍କୁ କଂଗ୍ରେସ ସରକାର ଜବାବ ଦେବାକୁ ଚାହୁଁନଥିଲେ । ଏହା ନୂଆ ଭାରତ ଏବଂ ଆମେ ଆତଙ୍କବାଦୀଙ୍କୁ ସେହି ଭାଷାରେ ଜବାବ ଦେବୁ ଯେଉଁ ଭାଷା ସେମାନେ ବୁଝନ୍ତି। ଭାରତୀୟ ସେନାର ସାମର୍ଥ୍ୟ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି ।

ଏକାଧିକ ଟ୍ୱିଟ୍ କରି ପିଟ୍ରୋଡାଙ୍କ ସମେତ ସମାଜବାଦୀ ପାର୍ଟି ନେତା ରାମ ଗୋପାଲ ଯାଦବଙ୍କୁ ବି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାରଣ ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ଭୋଟ୍ ପାଇଁ ଶାସକ ଦଳର ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ ଏସପି ନେତା । ଜଣେ ବରିଷ୍ଠ ନେତାଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ, ଆତଙ୍କବାଦୀଙ୍କୁ ସମର୍ଥନ ଓ ଭାରତୀୟ ସେନାର ଦକ୍ଷତା ଉପରେ ପ୍ରଶ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରର ସୁରକ୍ଷା ପାଇଁ ବଳିଦାନ ଦେଉଥିବା ଯବାନଙ୍କ ପ୍ରତି ଅପମାନ ବୋଲି ଅତି କଡା ଭାଷାରେ ପ୍ରତିକ୍ରିୟା ରଖିଛନ୍ତି ମୋଦି ।

ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ନେବା ଲାଗି ପାକିସ୍ତାନ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ବାଲାକୋଟରେ ଆତଙ୍କବାଦୀଙ୍କ ଏକାଧିକ ଟ୍ରେନିଂ କ୍ୟାମ୍ପକୁ ମିଜାଇଲ ମାଡ କରି ଧ୍ୱଂଶ କରିଥିଲା ଭାରତ । ହେଲେ ଏହାକୁ ନେଇ ସରକାରଙ୍କଠାରୁ ବାରମ୍ବାର ପ୍ରମାଣ ମାଗି ଆସୁଛନ୍ତି ବିରୋଧୀ । ଆଉ ବିରୋଧୀଙ୍କ ପ୍ରଶ୍ନ ସେନାର ସାମର୍ଥ୍ୟ ଉପରେ ସନ୍ଦେହ କହି କୌଣସି ତଥ୍ୟ ଦେବାକୁ ଏଡାଇ ଆସୁଛନ୍ତି ମୋଦି ସରକାର । ନିର୍ବାଚନୀ ବର୍ଷରେ ଏହି ଗୋଟିଏ ପ୍ରସଙ୍ଗ ଉଭୟ ଶାସକ ଓ ବିରୋଧୀ ଦଳକୁ ମୁହାଁମୁହିଁ ସ୍ଥିତିକୁ ନେଇ ଆସିଛି ।

ସମ୍ବନ୍ଧିତ ଖବର