ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ବୁଧବାର ଫୋନରେ କଥା ହୋଇଛନ୍ତି ।

ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହିତ କୂଟନୀତି ଓ ଆଲୋଚନା ମାର୍ଗକୁ ଫେରିବାର ଆବଶ୍ୟକତା ରହିଛି ବୋଲି ସହମତି ପ୍ରକାଶ କରିଥିଲେ ।

ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଅର୍ବାନ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ । ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ସାଦରେ ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।

ଦୁଇ ନେତା ଏଥିରେ ସହମତ ହୋଇଥିଲେ ଯେ ଉଭୟ ପକ୍ଷ ଆଗକୁ ମଧ୍ୟ ପରସ୍ପର ସହ ଯୋଗାଯୋଗ ରକ୍ଷା କରିବେ ଏବଂ ଯୁଦ୍ଧ ପରିସମାପ୍ତି ଲାଗି ମିଳିତ ପ୍ରୟାସ ଜାରି ରଖିବେ ।

ସମ୍ବନ୍ଧିତ ଖବର