ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଭାରତର ଏକୀକରଣର ସ୍ରଷ୍ଟା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଉପରେ ଏକ ସ୍ପଷ୍ଟ ଓ ଦୃଢ଼ ଆଭିମୁଖ୍ୟ ପୋଷଣ କରିଥିଲେ ଯାହାକୁ ଶେଷରେ ଅଣଦେଖା କରାଯାଇଥିଲା। ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଯେ ଭାରତ ପିଓକେକୁ ପୁନରୁଦ୍ଧାର ନ କରିବା ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ ନୁହେଁ। ତେବେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ପରାମର୍ଶକୁ ଶେଷରେ ଅଣଦେଖା କରାଗଲା। ପଟେଲଙ୍କ କଥା କେହି ଶୁଣି ନ ଥିଲେ ଏବଂ ବର୍ତ୍ତମାନ ଆମେ ୭୫ ବର୍ଷ ଧରି ଏହି ଆତଙ୍କବାଦର ସମ୍ମୁଖୀନ ହେଉଛୁ। ପହଲଗାମ ଆକ୍ରମଣ ମଧ୍ୟ ଏହାର ଏକ ପରିଣାମ ଥିଲା ବୋଲି ମୋଦୀ କହିଛନ୍ତି।

Advertisment

୧୯୪୭ ମସିହା ଭାରତ ବିଭାଜନ ଓ କାଶ୍ମୀର ବିବାଦ ମଧ୍ୟରେ ସିଧାସଳଖ ସମ୍ପର୍କ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୃଢ଼ ଆଭିମୁଖ୍ୟକୁ ଅଣଦେଖା କରିବା କାରଣରୁ ପିଓକେ ପୁନରୁଦ୍ଧାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଗଲା। ୧୯୪୭ ମସିହାରେ ଯେତେବେଳେ ମା’ ଭାରତୀ ବିଭାଜିତ ହୋଇଥିଲା, ସେତେବେଳେ ବେଡ଼ି କାଟିବା ବଦଳରେ ହାତ କାଟି ଦିଆଗଲା। ଦେଶକୁ ତିନୋଟି ଭାଗରେ ବିଭକ୍ତ କରାଯାଇଥିଲା। ସେହି ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ମୁଜାହିଦ୍ଦିନଙ୍କ ନାଁରେ ଆତଙ୍କବାଦୀଙ୍କୁ ବ୍ୟବହାର କରି ପାକିସ୍ତାନ ମା’ ଭାରତୀର ଏକ ଅଂଶକୁ ଦଖଲ କରିନେଲା। ଯଦି ସେତେବେଳେ ଏହି ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥାନ୍ତା, ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ସର୍ଦ୍ଦାର ପଟେଲଙ୍କ ଇଚ୍ଛାଙ୍କୁ ଅଣଦେଖା କରିବାର ପରିଣାମ ଦେଶ ଭୋଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ସର୍ଦ୍ଦାର ପଟେଲ ପିଓକେ ଫେରାଇ ଆଣିବାକୁ ଚାହୁଥିଲେ, କିନ୍ତୁ ତାଙ୍କୁ ଅଟକାଗଲା’

ଆତଙ୍କବାଦ ପାକିସ୍ତାନର ଯୁଦ୍ଧ ରଣନୀତି, ଛଦ୍ମ କୌଶଳ ନୁହେଁ

ଗାନ୍ଧୀନଗର: ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପଡ଼ୋଶୀ ଦେଶ ଦ୍ୱାରା ପ୍ରକ୍ସି ଯୁଦ୍ଧ ମାଧ୍ୟମରେ ଦେଶର ଶାନ୍ତିକୁ ଚ୍ୟାଲେଞ୍ଜ କରାଯାଉଥିବା ବେଳେ ଭାରତ ଚୁପ୍ ରହିପାରିବ ନାହିଁ। ଆତଙ୍କବାଦ ଏବେ ପାକିସ୍ତାନର ଯୁଦ୍ଧ ରଣନୀତି ପାଲଟିଛି ଏବଂ ଭାରତ ସେହି ଅନୁଯାୟୀ ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୁଇଦିନିଆ ଗୁଜରାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଶାନ୍ତିରେ ରହିବା ଓ ଅନ୍ୟମାନଙ୍କୁ ଶାନ୍ତିରେ ରଖିବାକୁ ଚାହୁଛୁ। କିନ୍ତୁ ଯେତେବେଳେ ପ୍ରକ୍ସି ଯୁଦ୍ଧ ମାଧ୍ୟମରେ ଆମର ଶକ୍ତିକୁ ଚ୍ୟାଲେଞ୍ଜ କରାଯାଏ, ଆମେ ଚୁପ୍ ରହିପାରିବୁ ନାହିଁ। ତେବେ ପୂର୍ବରୁ ଆମେ ଏହାକୁ ଛାୟା ଯୁଦ୍ଧ ବୋଲି କହୁଥିଲୁ। ମେ ୬ ପରେ ଆମେ ଯେଉଁ ଦୃଶ୍ୟ ଦେଖିଥିଲୁ, ତାହା ପରେ ଆମେ ଏହାକୁ ଆଉ ଛଦ୍ମ ଯୁଦ୍ଧ ବୋଲି କହୁନାହୁଁ, ଏହା ସେମାନଙ୍କ ଯୁଦ୍ଧ କୌଶଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ବିରୋଧୀ ଦଳ ସଦସ୍ୟ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପ୍ରମାଣ ମାଗିବା ବିଷୟରେ ମୋଦୀ କହିଛନ୍ତି, ପହଲଗାମ ଆକ୍ରମଣର ଜବାବରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏକ ନିର୍ଣ୍ଣାୟକ ପଦକ୍ଷେପ ଥିଲା। ଏଥର କ୍ୟାମେରା ସାମ୍ନାରେ ସବୁ କିଛି କରାଯାଇଛି, ଯାହାଫଳରେ କେହି ପ୍ରମାଣ ମାଗିବେ ନାହିଁ। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ପାକିସ୍ତାନରେ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହ କରାଯାଇଥିଲା, ସେମାନଙ୍କ କଫିନକୁ ପାକିସ୍ତାନୀ ପତାକାରେ ଗୁଡ଼ାଯାଇଥିଲା ଏବଂ ପାକ୍‌ ସେନା ସେମାନଙ୍କୁ ସଲାମ ଦେଇଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ ଆତଙ୍କବାଦ ଏକ ଛଦ୍ମଯୁଦ୍ଧ ନୁହେଁ, ବରଂ ପାକିସ୍ତାନର ଯୁଦ୍ଧ ରଣନୀତି। ସେହି ଅନୁଯାୟୀ ଆମେ ଏବେ ପାକିସ୍ତାନକୁ ଜବାବ ଦେବୁ ବୋଲି ସେ କହିଛନ୍ତି।