ପ୍ରଧାନମନ୍ତ୍ରୀ ମୋଦୀ ମତେ ସାଗୁଦାନା ଖିଚିଡ଼ି ରନ୍ଧା ଶିଖାଇଥିଲେ: ସିମ୍‌ଲା ବିଜେପି ନେତାଙ୍କ ପତ୍ନୀ

ନୂଆଦିଲ୍ଲୀ: ୯୦ ଦଶକ ଶେଷ ଭାଗରେ ‘ବିଜେପି’ର ହିମାଚଳ ପ୍ରଦେଶ ୟୁନିଟ୍‌ ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦଳର ଜଣେ ସ୍ଥାନୀୟ ନେତାଙ୍କ ପତ୍ନୀଙ୍କୁ ଖିଚିଡ଼ି ରନ୍ଧା ଶିଖାଇ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ସୂତ୍ରରୁ ଜଣାପଡ଼ିଛି।

ସ୍ଥାନୀୟ ‘ବିଜେପି’ ନେତା ଦୀପକ ଶର୍ମାଙ୍କ ପତ୍ନୀ ସୀମା ଶର୍ମା ‘ପିଟିଆଇ’କୁ କହିଛନ୍ତି ଯେ, ୨୯୯୭ରେ ନବରାତ୍ରୀ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସାଗୁଦାନା ଖିଚିଡ଼ି ରାନ୍ଧିଥିଲେ, କିନ୍ତୁ ତାହା ତାଙ୍କ (ସୀମାଙ୍କ) ମନମୁତାବକ ହୋଇ ନ ଥିଲା। ଫଳରେ ସ୍ବୟଂ ପ୍ରଧାନମନ୍ତ୍ରୀ ‌ମୋଦୀ ମୋତେ ସାଗୁଦାନା ଖିଚିଡ଼ି ରନ୍ଧା ଶିଖାଇ ଦେଇଥିଲେ।

Image Courtesy of Zee News

ମଙ୍ଗଳବାର ଦିନ ସିମ୍‌ଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଦୀପକ ଶର୍ମାଙ୍କ କଥା ପଚାରିଥିଲେ। ପରେ ରିଜ୍‌ ମୈଦାନରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ଜୟରାମ ଏ ପ୍ରସଙ୍ଗ କହିଥିଲେ। ସେ କହିଥିଲେ, ହିମାଚଳ ପ୍ରଦେଶର ସାଧାରଣ ‘ବିଜେପି’ କର୍ମୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ବିଭିନ୍ନ ଦୃଷ୍ଟିରୁ ଆକଳନ କରାଯାଇ ପାରିବ। ଏତେ ଦିନ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ କି, ଦୀପକ ଶର୍ମା ଜାଖୁ ମନ୍ଦିରକୁ ଯାଉଛନ୍ତି ନା, ନାହିଁ।

Image Courtesy of eSamskriti

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ବିଷୟରେ ଅନୁସନ୍ଧାନ କରିଥିବା ଜାଣି ମୋ ଆନନ୍ଦର ସୀମା ନାହିଁ ବୋଲି ସିମ୍‌ଲା ମୁନିସ୍‌ପାଲ୍‌ କର୍ପୋରେସନ୍‌କୁ କାଉନ୍‌ସିଲର୍‌ଭାବେ ମନୋନୀତ ହୋଇଥିବା ଦୀପକ ଶର୍ମା ‘ପିଟିଆଇ’କୁ କହିଛନ୍ତି। ସେ କହିଛନ୍ତି, ୧୯୯୭-୯୮ରେ ରାଜ୍ୟ ‘ବିଜେପି’ ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମ‌ୋଦୀ ତାଙ୍କର ଦୀପକ ବୈଷବ ଭୋଜନାଳୟ ଏବଂ ବଜାରରେ ଅବସ୍ଥିତ ତାଙ୍କ ବାସଭବନକୁ ଯାଉଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ସିମ୍‌ଲାର ପ୍ରସିଦ୍ଧ ଜାଖୁ ମନ୍ଦିରକୁ ବିଗତ ୩୨ ବର୍ଷ ହେବ ମୁଁ ଯାଉଛି। ରାଜ୍ୟ ବିଜେପି ମୁଖ୍ୟ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୧୦/୧୨ ଥର ମୋ ସହିତ ଜାଖୁ ମନ୍ଦିରକୁ ଯାଇଥିଲେ।

ବର୍ଷକୁ ଦୁଇଥର ନବରାତ୍ରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପବାସ କରୁଥିଲେ। ମାର୍ଚ ମାସରେ ପଡୁଥିବା ପ୍ରଥମ ନବରାତ୍ରୀରେ ସେ କେବଳ ପାଣି ପିଉଥିଲେ ଏବଂ ଦଶହରା ପୂର୍ବରୁ ପଡୁଥିବା ଦ୍ବିତୀୟ ନବରାତ୍ରୀରେ ଫଳ ଖାଉଥିଲେ। ୧୯୯୭ ଦ୍ବିତୀୟ ନବରାତ୍ରୀ ବେଳେ ସେ ପିଟର୍‌ହଫ୍‌ ହୋଟେଲ୍‌ରେ ରହିଥିଲେ। ସେତେବେଳେ ସେ ଦୀପକଙ୍କ ପତ୍ନୀ ସୀମାଙ୍କୁ ଖିଚିଡ଼ି ରାନ୍ଧି ଦେବା ପାଇଁ କହିଥିଲେ ବୋଲି ଦୀପକ କହିଛନ୍ତି।

ସୀମା ଶର୍ମା କହନ୍ତି, ସାଗୁଦାନା ଖିଚିଡ଼ି କିଭଳି ଭଲ କରି ରନ୍ଧାଯାଏ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶିଖାଇଛନ୍ତି। ସେ କହିଛନ୍ତି: ସେଦିନଠାରୁ, ସାଗୁଦାନା ଖିଚିଡ଼ି ରାନ୍ଧିବା ବେଳେ ମୋଦୀଜୀ ଯେମିତି ଶିଖାଇ ଦେଇଥିଲେ, ସେମିତି ରାନ୍ଧେ।

ସମ୍ବନ୍ଧିତ ଖବର