ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା

ଲକ୍‌ଡାଉନ୍‌ ବଢ଼ାଇବାକୁ ୬ ରାଜ୍ୟ ପ୍ରସ୍ତୁତ
କମ୍‌ ସଂକ୍ରମଣ ଥିବା ରାଜ୍ୟରେ କଟକଣା କୋହଳ ହେବ
ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନାକୁ ନେଇ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍ ଡାଉନ୍ ପରିସ୍ଥିତି ସଂପର୍କରେ ଆସନ୍ତାକାଲି ସମୀକ୍ଷା କରିବେ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନେଫେରେନ୍ସିଂ ଜରିଆରେ ସେ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିି ବିଚାରବିମର୍ଶ କରିବେ। ଏଥିରେ ସାମିଲ ହେ‌େ‌ବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିହାର, ଗୁଜରାଟ, ହରିଆଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଓ ପୁଡିଚେରିର ମୁଖ୍ୟମନ୍ତ୍ରୀ। ଗତ ମାସ ଲକ୍ ଡାଉନ୍ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଚତୁର୍ଥ ଆଲୋଚନା।

ବର୍ତମାନ ପରିସ୍ଥିତି ପରିପ୍ରେକ୍ଷୀରେ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯିବା ଉଚିତ କି ନୁହେଁ ସେସଂପର୍କରେ‌ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ମତ ରଖିବେ। ଯଦି ଲକ୍ ଡାଉନ୍ ବଢ଼ିବ ନାହିଁ ତାହାହେଲେ କଟକଣା କିଭଳି ପର୍ଯ୍ୟାୟ କ୍ର‌େମ କୋହଳ କରାଯିବ ତାହାକୁ ନେଇ ବିଚାର ଆଲୋଚାନ ହେବ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀମାନେ ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପାଇଁ ଦାବି କରିପାରନ୍ତି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ପ୍ରଥମ ଲକ୍‌ଡାଉନ୍‌ ୨୪ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଲକ୍‌ଡାଉନ୍‌ର ୧୮ ଦିନରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ବଢ଼ିଥିଲା। ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ ୬ଟି ରାଜ୍ୟ ପ୍ରସ୍ତୁତ ଥିବା ଜଣାଇ ସାରିଥିବା ବେଳେ କେନ୍ଦ୍ର ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଦିଲ୍ଲୀ ସମେତ ୬ଟି ରାଜ୍ୟ ଲକ୍‌ଡାଉନ୍‌ ବଢ଼ାଇବାକୁ ଯୋଜନା କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ଲକ୍‌ଡାଉନ୍‌ ଯୋଗୁଁ ସ୍ଥିତି ନିୟନ୍ତ୍ରଣରେ ରଖିବା ସମ୍ଭବ ହେଉଛି ଏବଂ ଏହାକୁ ୧୬ ମେ ପର୍ଯ୍ୟାନ୍ତ ବଢ଼ାଯାଉ। ସେହିଭଳି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଂଗ, ପଂଜାବ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ସ‌ଙ୍କେତ ଦେଇଛନ୍ତି। ତେଲେଙ୍ଗାନା ସରକାର ପୂର୍ବରୁ ହିଁ ଲକ୍‌ଡାଉନ୍‌କୁ ୭ ମେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅନ୍ୟପକ୍ଷରେ ହରିଆଣା, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଗୁଜରାଟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ବିହାର, ଆସାମ ଏବଂ କେରଳ ସରକାର କହିଛନ୍ତି ଯେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସୋମବାର ଦିନ ଆଲୋଚନା ପରେ ହିଁ ଲକ୍‌ଡାଉନ୍‌ ନେଇ ସ୍ଥିତି ସ୍ପଷ୍ଟ ହୋଇପାରିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଲକ୍‌ଡାଉନ୍‌ ଏବଂ କରୋନାମୁକାବିଲା ସଂକ୍ରାନ୍ତ ଅନ୍ୟ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ସଂକ୍ରାନ୍ତରେ ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର