ପୁଣି ଲାଗୁ ହେବ କି କରୋନା କଟକଣା? କାଲି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଣି ଲାଗୁ ହେବ କି କରୋନା କଟକଣା? କାଲି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବାର ଯୋଜନା ଥିବା ବେଳେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଛି। ଗତ କିଛି ଦିନ ହେଲାଣି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ ଡକାଇଛନ୍ତି। ସବୁ ରାଜ୍ୟର ମୁଖ୍ୟଙ୍କ ସହ ଭେଟି ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ପଚାରି ବୁଝିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପ୍ରସଙ୍ଗରେ ଏକ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଜାନୁଆରି ୧୩ରେ, ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମୀକ୍ଷା ‌ବୈଠକ କରିଥିଲେ। ଏହା ପରେ ସଂକ୍ରମଣ କମିଯାଇଥିଲେ ବି ଏବେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି।

ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। କ୍ରମାଗତ ୬ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହିଆସୁଥିବାବେଳେ ଆଜି କରୋନା ମାମଲା ଅଳ୍ପ କମିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪୮୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୪୮୩ ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୬୩୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯୭୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୨୩,୩୧୧ ।

ସମ୍ବନ୍ଧିତ ଖବର