ଟିକାନିର୍ମାତା କମ୍ପାନିମାନଙ୍କ ସହ ସଂଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ ମୋଦୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ । ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦୀ କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢ଼ାଯିବ । ୧୮ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ଖୁବଶୀଘ୍ର ଏକ ପ୍ରୋଟକଲ ଜାରି କରାଯିବ । ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକା ନେବା ପାଇଁ ଅନୁମତି ଦିଆଯାଇଥିଲା।

ଏହାଛଡ଼ା ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକିପାରିବେ ଟିକା ନିର୍ମାତା । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଅନୁମତି ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦୀର୍ଘ ୯୨ ଦିନ ଧରି ଚାଲିଥିବା ଟିକାକରଣ ଅଭିଯାନରେ ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଲାଣି । ଦେଶରେ ବର୍ତ୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କିଛିଦିନ ତଳେ ଋଷର ଟିକା ‘ସ୍ପୁଟନିକ-ଭି’କୁ ମଧ୍ୟ ଅନୁମତି ଦେଇଛନ୍ତି ଭାରତ ସରକାର।

ଗତବର୍ଷ ତୁଳନାରେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରୁ ୨ଲକ୍ଷ ୫୯ ହଜାର ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୭ ଶହ ୬୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯ରେ ପହଞ୍ଚିଛି । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୨୦ ଲକ୍ଷ ୩୧ ହଜାର ୯୭୭ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର